ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ସ୍ୱାସ୍ଥ୍ୟ ସଚିବ ଅଶ୍ଵଥୀ ଏସ୍। ସ୍ବାସ୍ଥ୍ୟ ସଚିବଙ୍କ ସହିତ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତର ମଧ୍ୟ ହସ୍ପିଟାଲ ବୁଲିଥିଲେ। ଏ ଅବସରରେ ସଚିବ ଚିକିତ୍ସାଳୟର ଭୌତିକ ଢାଞ୍ଚା, ଚିକିତ୍ସା ସେବା ଓ ପ୍ରଶାସନିକ କାର୍ଯ୍ୟ ପ୍ରଣାଳୀ ସମୀକ୍ଷା କରି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ। ଟ୍ରମା କେୟାର ବିଲ୍ଡିଂ ପରିଦର୍ଶନ କରି ଅବିରତ ବିଦ୍ୟୁତ୍ ସରବରାହ ପାଇଁ ଏକ ନୂତନ ଡିଜି ସେଟ୍ କିଣିବା, ଡକ୍ୟୁମେଣ୍ଟସନ୍ ଓ ଔଷଧ ପାଇଁ ୨ଟି ସ୍କାନର ଯୋଗାଇ ଦେବାକୁ କହିଥିଲେ। କାଜୁଆଲଟି ବିଭାଗ ଓ ମାଇନର OT ପରିଦର୍ଶନ ପରେ ଏକ ମାସ ମଧ୍ୟରେ ମାଇନର OT ଚାଲୁ କରିବାକୁ ସୁପରିଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ ସ୍ୱାସ୍ଥ୍ୟ ସଚିବ।
ଏଥିସହ ସ୍କଲ୍ ଲ୍ୟାବ ଓ ଲାବରେଟରୀ ରୋଗୀ ଭିଡ ନିୟନ୍ତ୍ରଣ ପାଇଁ କୁପନ ଆଧାରିତ ପ୍ରଣାଳୀ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଡାୟାଲିସିସ୍ ବିଭାଗକୁ ତୁରନ୍ତ ଉପଯୁକ୍ତ ନୂତନ ସ୍ଥାନକୁ ସ୍ଥାନାନ୍ତର କରିବା ସହିତ ସିଟି ସ୍କାନ, ଏମ୍ ଆର ଆଇ ଓ ଏକ୍ସରେ ସେବାକୁ ନୂତନ ବିଲଡିଙ୍ଗକୁ ସ୍ଥାନାନ୍ତର କରିବା ପାଇଁ ଇଞ୍ଜିନିୟରିଂ ଓ ବାୟୋ ମେଡିକାଲ ଟିମକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ସଚିବ ସୁଭଦ୍ରା ଯୋଜନାରେ ଉପକୃତ ହୋଇଥିବା ଚାରୁଲତା ସାହୁଙ୍କ ଦୋକାନକୁ ଯାଇ ସେ ଉକ୍ତ ଅର୍ଥ ମାଧ୍ୟମରେ ତାଙ୍କ ବ୍ୟବସାୟକୁ କିପରି ବୃଦ୍ଧି କରିଛନ୍ତି ସେ ସମ୍ପର୍କରେ କହିଥିଲେ। ଏହା ପରେ ଚାଳଗଡ଼ସ୍ଥିତ ଅଙ୍ଗନୱାଡି କେନ୍ଦ୍ର, ପବିତ୍ର ମୋହନ ମେଡିକାଲ କଲେଜ ଓ ହସପିଟାଲ, ଡେରା ଶିବାନନ୍ଦ ଆଶ୍ରମ ସ୍ଥିତ ବିକଶିତ ଗାଁ ବିକଶିତ ଓଡିଶା ପ୍ରକଳ୍ପରେ ନିର୍ମାଣ ହୋଇଥିବା ନୂତନ ଭୋଗ ମଣ୍ଡପ ପରିଦର୍ଶନ କରିଥିଲେ।
ପରେ ତାଳଚେର ବ୍ଲକ ଅନ୍ତର୍ଗତ ଡେରା ପଞ୍ଚାୟତର ଅନ୍ତୋଦୟ ଗୃହ ଯୋଜନାର ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ସେ ତାଳଚେର ଯୁବରାଜ ହାଇସ୍କୁଲ ଏବଂ ତୁଳସୀପାଳ ସ୍ଥିତ ଆଲୁମିନିୟମ ପାର୍କ ପରିଦର୍ଶନ କରିଥିଲେ। ସ୍ଵାସ୍ଥ୍ୟ ସଚିବଙ୍କ ଏହି ଗସ୍ତ ବେଳେ ଜିଲ୍ଲା ପରିଷଦର ମୁଖ୍ୟ ଦେବଦତ୍ତ ମହନ୍ତ, ଆଇଏଏସ୍ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରୋବେସନର କସ୍ତୁରୀ ସା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ.ମଦନ ମୋହନ ପ୍ରଧାନ, ଡେପୁଟି କଲେକ୍ଟର ଜୟଜିତ ଧଳ, ତାଳଚେର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ବରାଳ, ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


