ଅନୁଗୁଳ: ଏକ ପତ୍ନୀ ହତ୍ୟା ମାମଲାର ବିଚାର କରି ଅନୁଗୁଳ ଜିଲ୍ଲା ଦୌରାଜଜ୍ ଦାମୋଦର ରଥ ସୋମବାର ଅଭିଯୁକ୍ତ ସ୍ୱାମୀ ସୁବାସ ମହାକୁଡ଼ଙ୍କୁ କଠୋର ଦଣ୍ଡାଦେଶ ଶୁଣାଇଛନ୍ତି। ଅଦାଲତ ଅଭିଯୁକ୍ତକୁ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୩୦୨ ଅନୁଯାୟୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ଏଥିସହିତ ଧାରା ୪୯୮(କ) ଅନୁସାରେ ଯୌତୁକ ନିର୍ଯାତନା ପାଇଁ ଦୋଷୀକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜୋରିମାନା କରାଯାଇଛି, ଯାହା ଅନାଦେୟ ହେଲେ ଅତିରିକ୍ତ ୩ ମାସ କାରାଦଣ୍ଡର ବ୍ୟବସ୍ଥା ରହିଛି। ମୃତ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପୂର୍ବକ ଅଦାଲତ ତାଙ୍କ ପିତାଙ୍କୁ କ୍ଷତିପୂରଣ ବାବଦକୁ ୨ ଲକ୍ଷ ଟଙ୍କା ଦେବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ପୀଡ଼ିତାଙ୍କ ପିତା ଚୌଧୁରୀ ଭୋଇଙ୍କ ଅଭିଯୋଗ ଆଧାରରେ ୨୦୨୩ ସେପ୍ଟେମ୍ବର ୨୬ ତାରିଖରେ ଅନୁଗୁଳ ସଦର ଥାନାରେ କେସ ନମ୍ବର ୫୨୨/୨୦୨୩ରେ ଏହି ମାମଲା ରୁଜୁ ହୋଇଥିଲା। ଏହି ସମ୍ବେଦନଶୀଳ ମାମଲାକୁ ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରୋସିକ୍ୟୁଟର ପ୍ରଶାନ୍ତ କୁମାର ମଲିକ ପରିଚାଳନା କରୁଥିଲେ। ବିଚାର ସମୟରେ ଅଦାଲତ ୧୬ ଜଣ ସାକ୍ଷୀଙ୍କ ବୟାନ ଗ୍ରହଣ କରିବା ସହ ୨୪ ଗୋଟି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍କୁ ତନ୍ନତନ୍ନ କରି ଯାଞ୍ଚ କରିଥିଲେ। ସମସ୍ତ ସାକ୍ଷ୍ୟ ପ୍ରମାଣ ଓ ଦସ୍ତାବିଜକୁ ଭିତ୍ତି କରି ଅଦାଲତ ଅଭିଯୁକ୍ତକୁ ହତ୍ୟାକାରୀ ଭାବେ ସାବ୍ୟସ୍ତ କରିବା ସହ ଆଜି ଏହି ଦଣ୍ଡାଦେଶ ଶୁଣାଇଛନ୍ତି।



