ଅନୁଗୁଳ: ଯୋଗ -ପ୍ରାଣାୟାମ ଶରୀର ଓ ମନକୁ ସୁସ୍ଥ ରଖିବା ସହ ଏକ ନିରୋଗ ଜୀବନଯାପନ କରିବାରେ ସହାୟକ ହୋଇଥାଏ। ଆଜି ପୂର୍ବାହ୍ନରେ ଅନୁଗୁଳ ଇନ୍ଡୋର ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଏହା କହିଛନ୍ତି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଯୋଗ -ପ୍ରାଣାୟାମର ଉପକାରିତା କହିଥିଲେ। ଜିଲ୍ଲାପାଳ ଅଦାଲ୍ ଏମ୍ ଅଖର ଏକ ସୁସ୍ଥ ଜୀବନଚର୍ଯ୍ୟା ପାଇଁ ପ୍ରତ୍ୟେକ ବ୍ୟକ୍ତି ଯୋଗ ଅଭ୍ୟାସ କରିବା ଦରକାର ବୋଲି କହିଥିଲେ। ଚଳିତ ବର୍ଷର ବାର୍ତ୍ତା ହେଉଛି “ନିଜ ପାଇଁ ଏବଂ ସମାଜ ପାଇଁ ଯୋଗ” ।
ଏ ଅବସରରେ ପୂର୍ବରୁ ଆୟୋଜିତ ଯୋଗ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ପରେ ପତଞ୍ଜଳି ଯୋଗ ସମିତିର ସହଯୋଗରେ ସୂର୍ଯ୍ୟ ନମସ୍କାର, ପବନ ମୁକ୍ତାସନ, ଭୂଜଙ୍ଗାସନ, ତାଡାସନ ଭଳି ବିଭିନ୍ନ ଯୋଗାସନ ଅଭ୍ୟାସ କରାଯାଇଥିଲା।
କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସତ୍ୟଜିତ ମିଶ୍ର, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ, ଆଇ ଏ ଏସ୍ ପ୍ରୋବେସନର ତେଜସ୍ବିନୀ ବେହେରା, ଉପଜିଲ୍ଲାପାଳ ବରଣ୍ୟନ୍ଦୁ ମହାନ୍ତି, ଜିଲ୍ଲା ଶିକ୍ଷା ଅଧିକାରିଣୀ ସୁସ୍ମିତା ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାରସିଠ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭିକାରୀ ବନ୍ଧୁ ସାହୁ ଓ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ କୁମାର ଗଡନାୟକ ପ୍ରମୁଖ ଯୋଗ ଦେଇଥିଲେ।
ସେହିପରି ଅନୁଗୁଳ ପୌରପାଳିକା ଓ ଅନୁଗୁଳ ବ୍ଲକ ପ୍ରଶାସନର ମିଳିତ ଆନୁକୂଲ୍ୟରେ ବ୍ଲାକ ଡାଇମଣ୍ଡ ଠାରେ ଯୋଗ ଦିବସ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ଅନୁଗୁଳ ପୌରପାଳିକାର ଉପାଧ୍ୟକ୍ଷା ଅନୁପମା ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକ, ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ବିଶ୍ବ ଭୂଷଣ ପ୍ରମୁଖ ଉପସ୍ଥିତ ଥିଲେ।