ଧାନର ଇନପୁଟ୍ ସହାୟତା ପ୍ରଦାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ ଅନୁଗୁଳ ଜିଲ୍ଲାର ୪୬ ହଜାର ୨୯୩ ଜଣ ପଞ୍ଜିକୃତ କୃଷକ
ଅନୁଗୁଳ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବରଗଡ଼ ଜିଲ୍ଲା ସୋହେଲାର ଇଚ୍ଛାପାଲି ଗ୍ରାମରେ ଧାନର ସର୍ବନିମ୍ନ ସହାୟତା ମୂଲ୍ୟ କ୍ଵିଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କା ଇନ୍ପୁଟ୍ ସହାୟତା ପ୍ରଦାନର ଶୁଭାରମ୍ଭ କରିଛନ୍ତି। ଏ ଅବସରରେ ସେ କହିଥିଲେ ଯେ ଆଜିର ଦିନ ଓଡ଼ିଶା ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ। ଓଡ଼ିଶାର ଲକ୍ଷ ଲକ୍ଷ କୃଷକ ଭାଇ ଓ ଭଉଣୀମାନଙ୍କୁ ନିଜର କଠୋର ପରିଶ୍ରମର ପ୍ରକୃତ ମୂଲ୍ୟ ପ୍ରଦାନ କରାଯାଇଛି ବୋଲି ସେ କହିଥିଲେ।
ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଅନୁଗୁଳର ତିନି ହଜାରରୁ ଊର୍ଦ୍ଧ୍ଵ କୃଷକ ଆଭାସି ମାଧ୍ୟମରେ ସ୍ଥାନୀୟ ବିଜୁ ମଇଦାନ ଠାରେ ଯୋଗ ଦେଇଥିଲେ। ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇ କୃଷକମାନଙ୍କ ଉନ୍ନତି ହେଲେ ଜିଲ୍ଲା, ରାଜ୍ୟ ଓ ଦେଶର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ଏବଂ ରାଜ୍ୟ ସରକାରଙ୍କ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଇନ୍ପୁଟ୍ ସବସିଡି ଭଳି ଯୁଗାନ୍ତକାରୀ ପଦକ୍ଷେପ ଏ ଦିଗରେ ସହାୟକ ହେବ ବୋଲି କହିଥିଲେ। ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ଯୋଗ ଦେଇ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ କ୍ଷମତାକୁ ଆସିବା ପରେ ଗୋଟିଏ ପରେ ଗୋଟିଏ ପୂରଣ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁଦିପ ଗଡନାୟକ, ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ପ୍ରଭାତ କୁମାର ପ୍ରଧାନ, ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ, ଅତିରିକ୍ତ ଜିଲ୍ଲାପାଳ ଉଦୟ
କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଅନୁଗୁଳ ଉପଜିଲ୍ଲାପାଳ ବରଣ୍ୟନ୍ଦୁ ମହାନ୍ତି, ଜିଲ୍ଲା ଯୋଗାଣ ଅଧିକାରିଣୀ ସ୍ମିତା ନାୟକ, ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ବିଶ୍ୱ ଭୂଷଣଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ, ବହୁ ସଂଖ୍ୟାରେ କୃଷକ ଯୋଗ ଦେଇଥିଲେ।