ଅନୁଗୁଳ: ଛେଣ୍ଡିପଦା ତହସିଲ ଅନ୍ତର୍ଗତ ମାଛକୁଟା, ପୋଡାପୋଡା, ଟେନଟୁଲୋଇ, ହାଣ୍ଡିଗୁଡ଼ା ଆଦି ଅଞ୍ଚଳରେ ପ୍ରତିଷ୍ଠିତ ହେବାକୁ ଥିବା ବୈତରଣୀ ୱେଷ୍ଟ ଓପନ କାଷ୍ଟ ଖଣି ପାଇଁ ଗତ ମାସ ୨୪ ତାରିଖରେ ଛେଣ୍ଡିପଦା ଅଞ୍ଚଳରେ ଯେଉଁ ପରିବେଶୀୟ ଶୁଣାଣି ହୋଇଥିଲା ତାହାକୁ ସଂପୃକ୍ତ ଅଞ୍ଚଳର ଗ୍ରାମବାସୀ ମାନେ ଅବୈଧ କହିବା ସହିତ ଆଜି ଏକ ପ୍ରତିବାଦ ପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ।
ଗ୍ରାମବାସୀ ମାନେ ଭଣ୍ଡୁବର ଠାରୁ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା କରିଥିଲେ। ଏହି ସଭାରେ ନାରୀନେତ୍ରୀ ସସ୍ମିତା ବେହେରା,ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାୟ,କମ୍ରେଡ ନବ କିଶୋର ପ୍ରଧାନ,ଜୟନ୍ତ ସାହୁ ,ପ୍ରବୋଧ କୁମାର ସ୍ବାଇଁ ଏବଂ ଆଞ୍ଚଳିକ ସୁରକ୍ଷା ମଞ୍ଚ ପକ୍ଷରୁ ସଭାପତି ଗୋବର୍ଦ୍ଧନ ନାୟକ ଏବଂ ସମ୍ପାଦକ ବିଶ୍ଵାମିତ୍ର ସାହୁ ପ୍ରମୁଖ ଯୋଗ ଦେଇ କୋଇଲା ଖଣି ପ୍ରତିଷ୍ଠାକୁ ତୀବ୍ର ବିରୋଧ କରିଥିଲେ।
କମ୍ପାନୀ ୧୧୯୬ ହେକ୍ଟର ପରିମିତ ଅଞ୍ଚଳରେ ଖଣି ପ୍ରତିଷ୍ଠା କଲେ ସଂପୃକ୍ତ ଗ୍ରାମାଞ୍ଚଳର ଜୈବ ବିବିଧତା ଏବଂ ସବୁଜିମା ନଷ୍ଟ ହେବ ବୋଲି ସେମାନେ ଅଭିଯୋଗ କରିଥିଲେ।ଏହାଛଡା ଏହି ଅଞ୍ଚଳ ରେ ପ୍ରଦୂଷଣ ବଢିବ ବୋଲି ସେମାନେ ଯୁକ୍ତି ବାଢି ଥିଲେ ।