ଅନୁଗୁଳ: ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ସମାଧାନ ଏବଂ ସ୍ମାର୍ଟ ମିଟର ବସାଇବା ବନ୍ଦ କରିବା ଦାବିରେ ଶନିବାର ଅନୁଗୋଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ସ୍ଥାନୀୟ ଶିକ୍ଷକପଡ଼ାସ୍ଥିତ ନବକୃଷ୍ଣ ଚୌଧୁରୀ ସ୍ମୃତି ପାଠାଗାର ଠାରେ କମିଟିର ଆବାହକ ପ୍ରମୋଦ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନିମ୍ନଲିଖିତ ପ୍ରମୁଖ ଦାବିଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଟ୍ରମା କେୟାର ଓ ଆଇସିୟୁକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା କୁକୁଡ଼ା ଫାର୍ମକୁ ସ୍ଥାନାନ୍ତର କରିବା ଏବଂ ସମସ୍ତ ଜାଗାକୁ ଚିକିତ୍ସାଳୟକୁ ହସ୍ତାନ୍ତର କରିବା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ରାସ୍ତାରେ ଥିବା ଆମିଷ ବଜାରକୁ ସ୍ଥାନାନ୍ତର କରିବା। ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ଟାଟା ପାୱାରର ଶୋଷଣ ବନ୍ଦ କରିବା ଏବଂ ସ୍ମାର୍ଟ ମିଟର ବସାଇବା ବନ୍ଦ କରିବା।
କମିଟିର ଆବାହକ ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକ, ଅଭିମନ୍ୟୁ ସ୍ୱାଇଁ, ରମେଶ ସାହୁ, ତୀର୍ଥବାସୀ ଭୋଇ ପ୍ରମୁଖ ସଦସ୍ୟମାନେ ଯୋଗଦେଇ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ସମାଧାନ ଓ ଟାଟା ପାୱାର ଶୋଷଣ ବିରୁଦ୍ଧରେ ଆନ୍ଦୋଳନ ପାଇଁ ମତବ୍ୟକ୍ତ କରିଥିଲେ।
କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ଯଦି ଜିଲ୍ଲାର ଦାବି ପୂରଣ ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ ନକରନ୍ତି, ତେବେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବ୍ୟାପକ ଆନ୍ଦୋଳନ କରାଯିବ।


