ଅନୁଗୁଳ: ଋଣ ଦେଇଥିବା ସଂସ୍ଥା ଘରକୁ ଆସି ଗାଳିଗୁଲଜ କରିବାକୁ ସହି ନ ପାରି ଜୀବନ ହାରିଲା ନାବାଳିକା। ସ୍ଥାନୀୟ ବଅଁରପାଳ ବ୍ଲକ ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ପଞ୍ଚାୟତର କହ୍ନେଇ ନଗରରେ ଏଭଳି ଦୁଃଖଦ ଘଟଣା ଘଟିଛି।
ଏଠାକାର ଜଣେ ମହିଳା ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ ଆଣିଥିଲେ। କିନ୍ତୁ ଅସୁବିଧା ଥିବାରୁ ସେ ସଠିକ୍ ସମୟରେ ଋଣ କିସ୍ତି ଦେଇ ପାରିନଥିଲେ। ଫଳରେ ସଂସ୍ଥାର କର୍ମଚାରୀ ମାନେ ଆସି ବିଭିନ୍ନ ସମୟରେ ପରିବାର ଲୋକଙ୍କୁ ଗାଳିଗୁଲଜ କରିବା ସହ ଧମକ ଚମକ ଦେଉଥିଲେ। ମଙ୍ଗଳବାର ଦିନ ଅର୍ଥ ଲଗାଣ ସଂସ୍ଥାର କର୍ମଚାରୀ କିଛି ଗୁଣ୍ଡାଙ୍କୁ ସାଙ୍ଗରେ ଆଣି ଘରକୁ ଆସୁଥିବାର ଖବର ପାଇ ନାବାଳିକା ଝିଅକୁ ଘରେ ଛାଡି ବାପା ମା’ ପଳାଇଥିଲେ। କିଛି ସମୟ ପରେ ବାପା-ମା’ ଘରକୁ ଫେରି ଝିଅକୁ ଡାକିଥିଲେ। କିନ୍ତୁ ଭିତରୁ କୌଣସି ଉତ୍ତର ନ ଆସିବାରୁ ଝରକା ବାଟରେ ଦେଖିଥିଲେ ଝିଅ ଲୁଗାରେ ଫ୍ୟାନରେ ଝୁଲି ପଡିଛି। ସଙ୍ଗେ ସଙ୍ଗେ ପଡିଶା ଲୋକମାନଙ୍କ ସହ କବାଟ ଭାଙ୍ଗି ଆମ୍ବୁଲାନ୍ସରେ ସେମାନ ଏ ଝିଅକୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନାଲକୋ ନଗର ଥାନାରେ ଅଭିଯୋଗ ପରେ ଶବକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇ ଅନ୍ତିମ ସଂସ୍କାର କରାଯାଇଛି।
ତେବେ ପ୍ରାଣ ହରାଇଥିବା ଝିଅଟି ମାଟ୍ରିକ ପରୀକ୍ଷା ଦେଇଥିଲା। କିଛି ଦିନ ପରେ ରେଜଲ୍ଟ ବାହାରିବ। କିନ୍ତୁ ତା ପୂର୍ବରୁ ହିଁ ସେ ଦୁନିଆ ଛାଡି ଚାଲି ଯାଇଛି।
ପ୍ରକାଶ ଯେ ପୂର୍ବରୁ ଉକ୍ତ ସଂସ୍ଥାରୁ ଆସିଥିବା ଲୋକମାନେ ଝିଅ ଆଗରେ ବାପା-ମା’କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଝିଅକୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ। ଏହି ଘଟଣାକୁ ନେଇ ନାବାଳିକା ମାନସିକ ଭାରସାମ୍ୟ ହରାଇ ଘରେ ଆତ୍ମହତ୍ୟା କରିଥିବା କୁହାଯାଉଛି।