ଜୈବିକ ସାର ଦେଲା ପରିଚୟ: ବଡ଼ସଡ଼ାର ସଫଳ ମହିଳା ଚାଷୀ ଝୁନାରାଣୀ ଏବେ ଜମିରେ ଫଳାଉଛନ୍ତି ବିଷମୁକ୍ତ ଫସଲ

You are currently viewing ଜୈବିକ ସାର ଦେଲା ପରିଚୟ: ବଡ଼ସଡ଼ାର ସଫଳ ମହିଳା ଚାଷୀ ଝୁନାରାଣୀ ଏବେ ଜମିରେ ଫଳାଉଛନ୍ତି ବିଷମୁକ୍ତ ଫସଲ

ଅନୁଗୁଳ: ଆଜିକାଲି ମହିଳାମାନେ କୌଣସି କାମରେ ପୁଅଙ୍କ ଠାରୁ ପଛରେ ନାହାନ୍ତି। କେବଳ ପାଠ ନୁହେଁ, ବିଲକୁ ଯାଇ ଚାଷ କରିବାରେ ବି ଆଜିର ନାରୀ ଧୁରନ୍ଧର ହୋଇଗଲେଣି। ସେଭଳି ଜଣେ ମହିଳା ହେଉଛନ୍ତି ବଡ଼ସଡ଼ା ଅଞ୍ଚଳର ଝୁନା ରାଣୀ। ଝୁନା ମାତ୍ର ସପ୍ତମ ଯାଏଁ ପଢ଼ିଛନ୍ତି, କିନ୍ତୁ ନିଶା ତାଙ୍କର ଚାଷ କରିବା। ଆଉ ଏହି ଚାଷ ହିଁ ଏବେ ତାଙ୍କର ପରିଚୟ ପାଲଟିଛି। ବିଷମୁକ୍ତ ଚାଷ କରିବାରେ ସେ ଅଞ୍ଚଳରେ ନାଁ କରିଛନ୍ତି।
ସେ ଜମିରେ ରାସାୟନିକ ସାର ବଦଳରେ ଜୈବିକ ସାର ଉପଯୋଗ କରି ଫସଲ ଅମଳ କରୁଛନ୍ତି। ଏହି ଚାଷ କେମିତି କରିବେ, ଜ୍ଞାନ କୌଶଳ କେଉଁଠୁ ମିଳିବ ତାହା ଉପରେ ପ୍ରଚେଷ୍ଟା ଜାରି ରଖିଥିଲେ। ଦିନେ ସେ ତାଳଚେରର ସ୍ୱେଚ୍ଛାସେବୀ ସଙ୍ଗଠନ ସୋସିଆଲ ଡେଭଲପମେଣ୍ଟ ଫାଉଣ୍ଡେସନ କର୍ମକର୍ତ୍ତାଙ୍କ ଠାରୁ ନାବାର୍ଡର ସହାୟତାରେ ଜୈବିକ ପଦ୍ଧତିରେ ପନିପରିବା ଚାଷ ତାଲିମ୍ ଉପରେ ଅବଗତ ହେବା ସହ ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ ଭାଗ ନେଇ ଥିଲେ।

ସେଠାରେ ସେ ଜୈବିକ ପଦ୍ଧତି ରେ ଚାଷ, ପଞ୍ଚଗବ୍ୟ, ଅମୃତ ଜଳ, ବିଜାମୃତ, ପ୍ରାଣାମୃତ ହାଣ୍ଡିଖତ ଉପରେ ଶିଖି ନିଜ ଜମିରେ ପ୍ରୟୋଗ କରିବା ସହ ଗ୍ରାମର ଅନ୍ୟାନ୍ୟ ମହିଳାଙ୍କୁ ଏହି ଚାଷ ବାବଦରେ ସଚେତନ କରାଇଲେ। ଝୁନାରାଣୀଙ୍କ ଏଭଳି କାର୍ଯ୍ୟ ଦେଖି ଗ୍ରାମର ଅନ୍ୟାନ୍ୟ ମହିଳାମାନେ ମଧ୍ୟ ଅଣ୍ଟା ଭିଡ଼ିଲେଣି। ଜୈବିକ ସୁସ୍ୱାଦୁ ପନିପରିବା ଚାଷ ଯେ ସ୍ବାସ୍ଥ୍ୟ ପ୍ରତି ଉପକାରୀ ତାହା ମଧ୍ୟ ଧୀରେ ଧୀରେ ବୁଝୁଥିବା କହିଛନ୍ତି।

Share

Leave a Reply