ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରଭାବ। ଏମିତି ପାଗ ଆସନ୍ତା ୭ ତାରିଖ ଯାଏଁ ରହିବ। କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ଓ ପବନର ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଆଜି ମାଲକାନାଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ଗଜପତି, ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବଜ୍ରପାତ ସହ ବର୍ଷା ହେବ। ଏହି ସମୟରେ ପବନର ବେଗ ୩୦-୪୦ କିମି ରହିବ। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି।
ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, ଅନୁଗୁଳ ଓ ଢେଙ୍କାନାଳ ଜିଲାରେ ବଜ୍ରପାତ ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି। ଏହିସବୁ ଜିଲ୍ଲାରେ ସୁରକ୍ଷିତ ଜାଗାରେ ଆଶ୍ରୟ ନେବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। କୌଣସି ପ୍ରକାର ଅଘଟଣର ମୁକାବିଲା କରିବାକୁ ଜିଲା ପ୍ରଶାସନ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ ଆୟୁକ୍ତଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି।