କ୍ଷତିଗ୍ରସ୍ତ ଚାଷୀଙ୍କୁ ବକେୟା କ୍ଷତିପୂରଣ ଦାବି, ଅନୁଗୁଳ ଡିଏଫ୍ଓଙ୍କୁ ଭେଟିଲେ କନ୍ଧକୋଇଲି ଗ୍ରାମବାସୀ

You are currently viewing କ୍ଷତିଗ୍ରସ୍ତ ଚାଷୀଙ୍କୁ ବକେୟା କ୍ଷତିପୂରଣ ଦାବି, ଅନୁଗୁଳ ଡିଏଫ୍ଓଙ୍କୁ ଭେଟିଲେ କନ୍ଧକୋଇଲି ଗ୍ରାମବାସୀ

ଅନୁଗୁଳ: ଜରପଡ଼ା ରେଞ୍ଜ ଅଞ୍ଚଳର କନ୍ଧକୋଇଲି ଗ୍ରାମରେ ସୌର ତାରବାଡ କାର୍ଯ୍ୟକ୍ଷମ କରିବା ଏବଂ ହାତୀ ଓ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଉପଦ୍ରବରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ବକେୟା କ୍ଷତିପୂରଣ ରାଶି ତୁରନ୍ତ ପ୍ରଦାନ ଦାବିରେ ଗ୍ରାମ କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ଅନୁଗୁଳ ଡି.ଏଫ୍.ଓ.ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

ବିଶେଷ କରି ଜଙ୍ଗଲ ଘେରା ଏହି ଗ୍ରାମରେ ବାରମ୍ବାର ଗ୍ରାମବାସୀଙ୍କ ପକ୍ଷରୁ ଦାବି ପରେ ଗ୍ରାମ ଚତୁଃପାର୍ଶ୍ଵରେ ସୌର ତାରବାଡ ନିର୍ମିତ ହୋଇଥିଲା, ଯାହାଫଳରେ ଗ୍ରାମବାସୀଙ୍କର ଧନଜୀବନ ଓ ଫସଲବାଡିର ସୁରକ୍ଷା ହୋଇପାରୁଥିଲା। କିନ୍ତୁ ରକ୍ଷଣାବେକ୍ଷଣର ଅଭାବ ଓ ଅନ୍ୟାନ୍ୟ କାରଣରୁ ଏହା ଅକାମୀ ହୋଇଯିବା ଫଳରେ ବନ୍ୟଜନ୍ତୁଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି। ଏଣୁ ବାଧ୍ୟ ହୋଇ ଗ୍ରାମବାସୀ ଦାଦନ ଖଟିବାକୁ ବାହାରକୁ ଚାଲି ଯାଉଛନ୍ତି। ଅନ୍ୟ ପକ୍ଷରେ ହାତୀ ଦ୍ଵାରା ଫସଲହାନୀର କ୍ଷତିପୂରଣ ରାଶି ମଧ୍ୟ ଅନେକ ଦିନରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିନାହିଁ। ଏସବୁ ସମସ୍ୟାର ସମାଧାନ ପାଇଁ ଡି.ଏଫ୍.ଓ. ପ୍ରତିଶ୍ରୁତି ଦେଇଛନ୍ତି।

ସେହିପରି ତୁରନ୍ତ ମାଣିକଯୋଡି ଠାରୁ ସିଟିକୋଇଲି ଏବଂ କନ୍ଧକୋଇଲି ଦେଇ ଲେମ୍ବୁତଇଳା ପର୍ଯ୍ୟନ୍ତ ସବୁଦିନିଆ ପକ୍କାରାସ୍ତା ସମେତ ବେତରକୁ ରାସ୍ତା ନିର୍ମାଣ କରିବା, କନ୍ଧକୋଇଲି ଗ୍ରାମର ମଝିକା ସାହିରେ ପିଇବା ପାଣିର ସଂକଟ ଯୋଗୁଁ ସୌର ଚାଳିତ ପାଣିପମ୍ପର ବ୍ୟବସ୍ଥା କରିବା, ସିଟିକୋଇଲି ଗ୍ରାମରେ ବନ୍ଦ ହୋଇଥିବା ପ୍ରାଥମିକ ବିଦ୍ୟାଳୟକୁ ପୁନଃ ଚାଲୁ କରିବା ନେଇ ଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ପ୍ରତିନିଧି ଦଳରେ ଗ୍ରାମ୍ୟ ସଭାପତି ସୁରେଶ ଷଣ୍ଢ, କୁମୁଦ ପ୍ରଧାନ, କସାରିଆ କଠାର, ଅକ୍ଷୟ ଦେହୁରୀଙ୍କ ସମେତ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ନବକିଶୋର ପ୍ରଧାନ, ମାନସ ପାଳ, ଦୁଃଖବନ୍ଧୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply