ଅନୁଗୋଳ: ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଆସନ୍ତା ଅକ୍ଟୋବର ୨୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟ ଘେରାଉ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସମାବେଶ ଓ ଧାରଣାରେ ସାରା ରାଜ୍ୟରୁ ପ୍ରାୟ ୧୦ ହଜାର କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକ ଯୋଗଦେବେ, ଯେଉଁଥିରେ ଅନୁଗୋଳ ଡିଭିଜନରୁ ୫୦୦ ଜଣ ଅଂଶଗ୍ରହଣ କରିବେ।
ସଂଘର ସଭାପତି ବିଜୟ ମହାନ୍ତିଙ୍କ ଆହ୍ଵାନ କ୍ରମେ ଅନୁଗୋଳ ଡିଭିଜନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସିଜିନାଲ କର୍ମଚାରୀଙ୍କ ମାସିକ ମଜୁରୀ ସରକାରୀ ସର୍ବନିମ୍ନ ମଜୁରୀ ଅନୁପାତରେ ଧାର୍ଯ୍ୟ, କନ୍ୟା ବିବାହ ସହାୟତା, ବନ୍ଧେଇ ଶ୍ରମିକଙ୍କ ବଣ୍ଡଲ ପ୍ରତି ମଜୁରୀ ବୃଦ୍ଧି, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ତୋଳାଳୀ ଓ ବନ୍ଧେଇ ଶ୍ରମିକଙ୍କ ପାଇଁ ଯଥାକ୍ରମେ ୪୬୦ ଟଙ୍କା ଓ ୭୦୦ ଟଙ୍କା ସହାୟତା କାର୍ଯ୍ୟକାରୀ କରିବା, ତୋଳାଳୀଙ୍କ ପତ୍ର ଦର ବୃଦ୍ଧି, କାର୍ଯ୍ୟ ଦିବସ ବୃଦ୍ଧି, ଜିଏସଟି ଅର୍ଥ ଫେରସ୍ତ ଏବଂ ବୋନସ ବୃଦ୍ଧି ଆଦି ଦାବୀ ଉପସ୍ଥାପନ କରାଯିବ।ବୈଠକରେ ରାଜ୍ୟ ସଂଗଠନ ସମ୍ପାଦକ ସଂଜିତ ମହାନ୍ତି, ରାଜ୍ୟ ସମ୍ପାଦକ ମହମ୍ମଦ ମୁର୍ତୁଜା, ଡିଭିଜନ ସମ୍ପାଦକ ରତ୍ନାକର ପ୍ରଧାନ ପ୍ରମୁଖ ସମେତ ଅନେକ ସଦସ୍ୟ ଅଂଶଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ।