ଅନୁଗୁଳରେ ଖସୁନି ଆଳୁ ଦର! କେଜି ପିଛା ୪୦ ଟଙ୍କାରେ କିଣୁଛନ୍ତି ଗ୍ରାହକ, ଯୋଗାଣ ବିଭାଗ ନିରବଦ୍ରଷ୍ଟା

0

ଅନୁଗୁଳ: ଅନୁଗୁଳରେ କମିବାର ନାଁ ଧରୁନି ଆଳୁ ଦର। ରାଜ୍ୟ ସରକାର ଖାଉଟିଙ୍କ ପାଇଁ ଆଳୁ ଦର ଧାର୍ଯ୍ୟ କରୁଛନ୍ତି। କିନ୍ତୁ କିଛି ଦିନ ପୂର୍ବରୁ ଦେଖା ଦେଇଥିବା ଆଳୁ ସଙ୍କଟ, ଆମଦାନୀ ପରେ ବି ଥମୁନାହିଁ। ବର୍ତ୍ତମାନ ଅନୁଗୁଳ ବଜାରରେ ଆଳୁ ଗଚ୍ଛିତ ଥିଲେ ମଧ୍ୟ ଖାଉଟିମାନେ ଠକାମୀର ଶିକାର ହେଉଛନ୍ତି। ଜିଲ୍ଲା ଯୋଗାଣ ବିଭାଗର ଅପାରଗତା ପାଇଁ ଏହି ସମସ୍ୟା ଦେଖାଦେଇଛି।

ଆଳୁ ଗୋଦାମ ମାଲିକଙ୍କର କହିବାନୁଯାୟୀ, ଅନୁଗୁଳ ସହରରେ ଥିବା ବିଭିନ୍ନ ଆଳୁ ଗୋଦାମରେ ଆଳୁ ଦର ଗୋଟିଏ ପ୍ୟାକେଟ ପିଛା ୧୧୫୦ ଟଙ୍କା ଅଛି। ଗତ ୯ ଦିନ ହେବ ଏହି ଦର ଗୋଦାମଗୁଡିକରେ ଅଛି। ଗୋଟିଏ ପ୍ୟାକେଟରେ ୪୮ କେଜି ଆଳୁ ରହୁଛି। ସେହି ହିସାବରେ ଗୋଦାମରେ ଆଳୁ କେଜି ପିଛା ୨୪ ଟଙ୍କା ରହୁଛି। ଏହା ପରେ ବି ଅନୁଗୁଳ ବଜାରରେ ଖାଉଟିଙ୍କୁ ଅଧିକ ଦରରେ ଆଳୁ ବିକ୍ରି କରୁଛନ୍ତି ଖୁଚୁରା ଦୋକାନୀ। ଖୁଚୁରା ବଜାରରେ ଦାମ ରହିଛି ୪୦ ଟଙ୍କା।

ଏ ନେଇ ଅନୁଗୁଳ ଯୋଗାଣ ଅଧିକାରୀ ତଥା ଜିଲ୍ଲା ପରିଚାଳକ ସ୍ମିତା ନାୟକଙ୍କୁ ପଚାରିବାରୁ କହିଛନ୍ତି, ବର୍ତ୍ତମାନ ଖାଉଟିଙ୍କ ପାଇଁ ଆଳୁ ସରକାରୀ ଧାର୍ଯ୍ୟ ମୂଲ୍ୟ ହିସାବରେ ୩୦ ଟଙ୍କା ସ୍ଥିର କରାଯାଇଛି। ଏହି ଧାର୍ଯ୍ୟ ମୂଲ୍ୟ ଠାରୁ ଖୁଚୁରା ବେପାରୀ ଅଧିକ ମୂଲ୍ୟରେ ଆଳୁ ବିକ୍ରି କରିପାରିବେ ନାହିଁ। ଯୋଗାଣ ବିଭଗ ତରଫରୁ ସ୍କ୍ୱାର୍ଡ ବୁଲି ଆଳୁ ଦୋକନ ଗୁଡିକରେ ସଚେତନ କରୁଛନ୍ତି। ଆଳୁର ଅନୁଗୁଳ ଜିଲ୍ଲାରେ କୌଣସି ପ୍ରକାରର ସଙ୍କଟ ନାହିଁ ବୋଲି ଯୋଗାଣ ଅଧିକାରୀ ପ୍ରକାଶ କରିଥିଲେ।

ଅନ୍ୟପଟେ ଗତ ସପ୍ତାହରୁ ଆଳୁ ପର୍ଯ୍ୟାପ୍ତ ପରିମାଣରେ ଅନୁଗୁଳ ଆସିଛି। ତଥାପି ଯୋଗାଣ ବିଭାଗର ଅପାରଗତା କାରଣରୁ ଖୁଚୁରା ବିକ୍ରେତା ଆଳୁ କେଜି ୪୦ ଟଙ୍କାରେ ବିକୁଛନ୍ତି। ଯୋଗାଣ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ଉଚିତ୍ ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.

error: Content is protected !!