ଅନୁଗୁଳ: ସମାଜରେ ସମ୍ମାନ ସହ ବଞ୍ଚିବା ସହ ରୋଜଗାର କରିବା ପାଇଁ ତୃତୀୟ ଲିଙ୍ଗ ଏବେ ବି ସଂଘର୍ଷ ଜାରି ରଖିଛନ୍ତି। କିନ୍ନରଙ୍କୁ ସ୍ୱାଭିମାନ ସହ ବଞ୍ଚିବା ପାଇଁ ସାହାଯ୍ୟର ହାତ ବଢ଼ାଇଛନ୍ତି ଅନୁଗୁଳର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ।
ତାଳଚେର ସୋସିଆଲ ଡେଭଲପମେଣ୍ଟ ଫାଉଣ୍ଡେସନ, ପାଳଲହଡ଼ା ରୁରାଲ ଡେଭଲପମେଣ୍ଟ କାଉନସିଲ ଏବଂ ମାନବସେବା ଚାରିଟେବୁଲ ଟ୍ରଷ୍ଟ ର ମିଳିତ ଆନୁକୂଲ୍ୟରେ ସୁଗୁଡାସ୍ଥିତ ମାନବ ସେବାଶ୍ରମରେ ଆଜି କିନ୍ନରଙ୍କୁ ପଣସରୁ ଚିପ୍ସ ପ୍ରସ୍ତୁତି ତାଲିମ ଦିଆଯାଇଛି। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ବୁଦ୍ଧଦେବ ଦାସ ଉଦଘାଟନ କରିବା ସହ ପଣସର ପ୍ରକ୍ରିୟାକରଣ ମାଧ୍ୟମରେ କିନ୍ନରମାନେ ରୋଜଗାରକ୍ଷମ ହେବେ ବୋଲି କହିଥିଲେ।
କାର୍ଯ୍ୟକ୍ରମରେ ଆରଡିସିର ସମ୍ପାଦକ ବିନୟ ସାହୁ, ମାନବ ସେବାଶ୍ରମ ଟ୍ରଷ୍ଟର ସମ୍ପାଦକ ଚିନ୍ମୟୀ ଦାସ, ଲୀଳାବତୀ ପାତ୍ର, ଅନିତା ନାଏକ, ହେମନ୍ତ ବେହେରା ପ୍ରମୁଖ କିନ୍ନରଙ୍କୁ ତାଲିମ ଦେଇଥିଲେ। ଅନ୍ୟତମ ଅତିଥିଭାବେ ମମତା ଉଦ୍ୟୋଗର ମମତା ବିସୀମାଝୀ ଯୋଗଦାନ କରି ପଣସରୁ କିପରି ବୃହତ ବଜାର ସୃଷ୍ଟି କରି କିନ୍ନରମାନେ ସ୍ୱାବଲମ୍ବୀ ହେଲେ ସେ ନେଇ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଙ୍ଗୁର କିନ୍ନର, ପାର କିନ୍ନର, ସୁମନ୍ତ କିନ୍ନର, କେଟି କିନ୍ନର, ସୁରି କିନ୍ନର, ମମତା ବିସୀମାଝୀ ପ୍ରମୁଖ ୨୦ ଜଣ କିନ୍ନର ଯୋଗ ଦେଇଥିଲେ।