କିଶୋରନଗର: ଅନୁଗୁଳ ଜିଲା କିଶୋରନଗର ବ୍ଲକ୍ ଅନ୍ତର୍ଗତ ବାମୁର ଶିବମନ୍ଦିର ପଡ଼ିଆରେ ଆସନ୍ତା ଡିସେମ୍ବର ମାସ ୨୮ ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ଚଷା ମହାସମାବେଶର ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଆଠମଲ୍ଲିକର ଉପଖଣ୍ଡସ୍ତରୀୟ ଚଷା ସମାଜ ପକ୍ଷରୁ ଏହି ବୈଠକ ଆୟୋଜିତ ହୋଇଥିଲା। ସମାଜର କର୍ମକର୍ତ୍ତାମାନେ ମତ ଦେଇଥିଲେ ଯେ “ଚାଷୀର ଉନ୍ନତି ହେଲେ ଦେଶର ପ୍ରଗତି ହେବ।”
ଏହି ବୈଠକରେ ଆଠମଲ୍ଲିକ ଉପଖଣ୍ଡର ଚାରି ଗୋଟି ପ୍ରଗଣାର ସଭାପତି, ସମ୍ପାଦକ ଏବଂ ଅନୁଗୋଳ, ତାଳଚେର, ଛେଣ୍ଡିପଦା, ଦେବଗଡ଼, ରେଢ଼ାଖୋଲ, ସମ୍ବଲପୁର, ସୋନପୁର ଆଦି ବିଭିନ୍ନ ଅଞ୍ଚଳର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
ସର୍ବସମ୍ମତି କ୍ରମେ ଆସନ୍ତା ଡିସେମ୍ବର ୨୮ ତାରିଖରେ ରାଜ୍ୟସ୍ତରୀୟ ଚଷା ମହାସମାବେଶ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ମହାସମାବେଶରେ ୩୦ ହଜାରରୁ ଉର୍ଦ୍ଧ୍ୱ ଲୋକ ସମାଗମ ହେବେ ବୋଲି ସଭାପତି ଆଶା ବ୍ୟକ୍ତ କରିଛନ୍ତି।
ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ବାଇଶିପାଲି ପୁଞ୍ଜର ସଭାପତି ଉପେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ସଭାକୁ ଜୟକୃଷ୍ଣ ପ୍ରଧାନ ସଂଯୋଜନା କରିଥିଲେ। ସୁରେନ୍ଦ୍ର ନାରାୟଣ ପ୍ରଧାନ ଆଭିମୁଖ୍ୟ ରଖିଥିବା ବେଳେ ବାମୁର ପୁଞ୍ଜ ସଭାପତି ସଚ୍ଚିଦାନନ୍ଦ ପ୍ରଧାନ ସମାବେଶର ରୂପରେଖ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ।
