ଅନୁଗୁଳ: ଅନୁଗୁଳରେ ବାଘ ଆତଙ୍କ। ଅନୁଗୁଳ ବ୍ଲକ ପୁରୁଣାକୋଟ ଥାନା ଅନ୍ତର୍ଗତ ଟାଇଁସି ଗ୍ରାମରେ ନିକଟରେ ବାଘ ଆକ୍ରମଣରେ ଜଣେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ହେଲେ ଟାଇଁସି ଗ୍ରାମର ପୁରେନ୍ଦ୍ର ବେହେରାଙ୍କ ପୁଅ ବସନ୍ତ ବେହେରା (୪୦)।
ସୂଚନା ମୁତାବକ, ବସନ୍ତ ସବୁ ଦିନ ଭଳି ଶୁକ୍ରବାର ସକାଳୁ ଗାଁ ପାଖ ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଇଥିଲେ। ଅପରାହ୍ନରେ ଦୁଇଟି ବାଘ ଛୁଆ ଆସି ବସନ୍ତଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲେ। ବସନ୍ତ ଚିତ୍କାର କରିବାରୁ ପାଖରେ ଥିବା ଲୋକମାନେ ଆସି ବାଘ ଛୁଆଙ୍କୁ ଘଉଡ଼ାଇବା ସହ ବସନ୍ତଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ବନ ବିଭାଗ ପହଞ୍ଚି ବସନ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଆକ୍ରମଣ କରିଥିବା ଦୁଇ ବାଘ ଛୁଆ କଲରାପତରିଆ ବୋଲି ସନ୍ଦେହ କରାଯାଉଛି।
ଅନ୍ୟପଟେ ସାତକୋଶିଆ ଡିଏଫଓ ଗଦାଧର ପାତ୍ର ବାଘ ଆକ୍ରମଣକୁ ଅସ୍ୱୀକାର କରିବା ସହ ଘଟଣାସ୍ଥଳକୁ ଟିମ୍ ପଠାଇ ତଦନ୍ତ କରୁଥିବା କହିଛନ୍ତି। ସେପଟେ ହିଂସ୍ରଜନ୍ତୁଙ୍କ ଆକ୍ରମଣରେ ପୀଡ଼ିତ ଗୁରୁତର ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର ପ୍ରକାଶ କରିଛନ୍ତି।




