ଶିକାରୀ ଫାସରେ ପୁଣି ପଡ଼ିଲା ବାଘ

You are currently viewing ଶିକାରୀ ଫାସରେ ପୁଣି ପଡ଼ିଲା ବାଘ

ବନ୍ତଳା: ଅନୁଗୁଳ ବନଖଣ୍ଡ ଅଞ୍ଚଳରେ ପୁଣି ଏକ କଲରାପତରିଆ ବାଘ ଫାଶରେ ପଡ଼ିଛି। ଫାଶରେ ପଡ଼ି ସାରା ରାତି ଛଟପଟ ହେବା ପରେ ରବିବାର ବନ କର୍ମଚାରୀମାନେ ବାଘଟିକୁ ଉଦ୍ଧାର କରିଛନ୍ତି । ଟ୍ରାଙ୍କୁଲାଇଜ୍
କରି ତାକୁ ଯନ୍ତାରେ ରଖିବା ପରେ ଚିକିତ୍ସା କରାଯାଉଛି।

ସୂଚନା ଅନୁଯାୟୀ, ବଲଙ୍ଗ ଗାଁ ପାଖ ସଂରକ୍ଷିତ ଜଙ୍ଗଲରେ ଶିକାରୀ ଫାଶରେ ଏକ କଲରାପତରିଆ ବାଘ ପଡ଼ିଥିବା ପାଟ୍ରୋଲିଂରେ ଥିବା ବନ କର୍ମଚାରୀ ଜାଣିବାକୁ ପାଇଥିଲେ। ତା’ ଅଣ୍ଟା ପାଖରେ ଫାଶ ଲାଗି ଯାଇଥିଲା। ଫଳରେ ବାଘଟି ନା ଆଗକୁ ନା ପଛକୁ ଯାଇପାରୁଥିଲା। ବନ କର୍ମଚାରୀ ଏହା ଦେଖିବା ପରେ ତୁରନ୍ତ ରେଞ୍ଜ ଅଧିକାରୀ ଓ ବନଖଣ୍ଡ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ସାତକୋଶିଆର ପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ଟ୍ରାଙ୍କୁଲାଇଜ୍ କରାଯାଇ ବାଘକୁ ଉଦ୍ଧାର କରାଯାଇଥିଲା। ବାଘକୁ ସାଲାଇନ୍ ଦିଆଯାଇଥିବା ଜଣାପଡ଼ିଛି ।

ଶନିବାର ରାତିରୁ ରବିବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଫାଶରେ ଲାଗି ରହିଥିବା ଏହି ବାଘର ବୟସ ୯ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଏହା ଏକ ଅଣ୍ଡିରା କଲରାପତରିଆ। ଯନ୍ତା ସାହାଯ୍ୟରେ ବାଘଟିକୁ ଉଦ୍ଧାର କରି ନୂଆଁ ରାଇଗୁଡ଼ାରେ ରଖାଯାଇଛି। ବାଘର ଚିକତ୍ସା କରାଯିବା ସହ ସ୍ୱାସ୍ଥ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଉଛି ବୋଲି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଡ. ସରୋଜ ପଣ୍ଡା ସୂଚନା ଦେଇଛନ୍ତି।

Share

Leave a Reply