ଝିଅ ହତ୍ୟାକାରୀ ବାପାଙ୍କୁ ଆଜୀବନ କାରାଦଣ୍ଡ

You are currently viewing ଝିଅ ହତ୍ୟାକାରୀ ବାପାଙ୍କୁ ଆଜୀବନ କାରାଦଣ୍ଡ
Law Judge Gavel And Legality Symbol

ଅନୁଗୁଳ: ଅନୁଗୁଳ ଜିଲ୍ଲା ଦୌରାଜଜ୍ ପ୍ରଣବ କୁମାର ପାତ୍ର ଅତି ନୃଶଂସ ଭାବେ ଝିଅକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣେ ଅଭିଯୁକ୍ତ ବାପାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ସୂଚନା ମୁତାବକ, ଛେଣ୍ଡିପଦା ଥାନା କୁଞ୍ଜବିହାରିପୁର ଗାଁର ବଳିଆ ବାଘ ୨୦୧୭ ମସିହା ଅକ୍ଟୋବର ୧୫ରେ ତାଙ୍କ ଝିଅ ପ୍ରତିମା ବାଘଙ୍କୁ ଅତି ସାମାନ୍ୟ କଥାକୁ ନେଇ ହତ୍ୟା କରିଥିଲେ। ଚାଷବାସ ଟଙ୍କା ଓ ଛେଳି ବିକ୍ରି ଟଙ୍କାକୁ ନେଇ ଉଭୟ ବାପ ଝିଅଙ୍କ ମଧ୍ୟରେ ମଝିରେ ମଝିରେ ଝଗଡ଼ା ହୋଇଥାଏ। ହେଲେ ଗତ ୨୦୧୭ ଅକ୍ଟୋବର ମାସ ୧୫ ତାରିଖରେ ଏହା ଉଗ୍ର ରୂପ ଧାରଣ କରିଥିଲା। ଚାଷବାସ ଟଙ୍କା ଓ ଛେଳି ବିକ୍ରି ଟଙ୍କାର ହିସାବ ପ୍ରତିମା ନ ଦେବାରୁ ବଳିଆ ରାଗି ଯାଇଥିଲେ। ଏହି ସମୟରେ ପାଖରେ ପଡ଼ିଥିବା ଏକ ଟାଙ୍ଗିଆରେ ପ୍ରତିମାକୁ ହାଣି ପକାଇଥିଲେ। ଘଟଣାସ୍ଥଳରେ ହିଁ ପ୍ରତିମାଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ବଳିଆ ନିଜେ ଗ୍ରାମରକ୍ଷୀ ଶ୍ରୀନିବାସ ନାଏକଙ୍କୁ ହତ୍ୟାକାଣ୍ଡ ନେଇ ଜଣାଇଥିଲେ। ଗ୍ରାମରକ୍ଷୀ ଘଟଣାସ୍ଥଳକୁ ଯାଇ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ପଡ଼ିଥିବା ଦେଖିଥିଲେ।

ଏନେଇ ଗ୍ରାମରକ୍ଷୀ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ୧୯୨/୧୭ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ବଳିଆକୁ ଗିରଫ କରିଥିଲା। ଏହି ମାମଲାର ବିଚାର କରି ୨୦ ଜଣ ସାକ୍ଷୀଙ୍କ ବୟାନ ଓ ୧୧ଟା ଦଲିଲ ଆଧାରରେ ଅଭିଯୁକ୍ତ ବଳିଆକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜୋରିମନା ଦେବାକୁ ଆଦେଶ ଦେଇଛନ୍ତି। ଏହି ମାମଲାକୁ ପବ୍ଲିକ୍ ପ୍ରସିକ୍ୟୁଟର ପ୍ରଦୀପ କୁମାର ଦାସ ପରିଚାଳନା କରିଥିବା ବେଳେ ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର ପ୍ରଦୀପ କୁମାର ଭୁତିଆ ସହଯୋଗ କରିଥିଲେ।

Share

Leave a Reply