ଅନୁଗୁଳ: ଲାୟନ୍ସ କ୍ଲବ୍ ଅନୁଗୁଳର ୪୦ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ସନ୍ଧ୍ୟା ୭.୩୦ରେ ସ୍ଥାନୀୟ ଏକ ହୋଟେଲ ଠାରେ ମହାସମାରୋହରେ ପାଳିତ ହୋଇଛି। କ୍ଲବ୍ର ପିଡିଜି ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ନେତୃତ୍ୱ ଓ ସଭାପତି ତ୍ରୈଲୋକ୍ୟ ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଡିଷ୍ଟ୍ରିକ୍ଟ ୩୨୨ସି ୫ର ଗଭର୍ଣ୍ଣର ଲାୟନ ମମତା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଭ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ଜିଇଟି କୋ-ଅର୍ଡିନେଟର ଲାୟନ ସଂଗ୍ରାମ ରଞ୍ଜନ ଦାସ କ୍ଲବ୍ର ଆଭିମୁଖ୍ୟ ଓ ଭବିଷ୍ୟତ ଯୋଜନା ବିଷୟରେ ଅବଗତ କରାଇଥିଲେ।
ଆଞ୍ଚଳିକ ମୁଖ୍ୟ ଲାୟନ ଅଶୋକ ମୁରାରକା କ୍ଲବ୍ର ଅଗ୍ରଗତି ଓ ଜନହିତକର କାର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ। ଉତ୍ସବରେ ସ୍ୱାସ୍ଥ୍ୟ, କଳା ଓ ପରିବେଶ କ୍ଷେତ୍ରରେ ଅବଦାନ ପାଇଁ ଡାକ୍ତର ବ୍ରହ୍ମାନନ୍ଦ ପଣ୍ଡା, ଶ୍ରୀମତୀ ଅନିତା ରାଜଗୁରୁ ଓ ଗ୍ରାମ ମଙ୍ଗଳ ଯୁବକ ସଂଘ, ଶାକୋସିଂହାଙ୍କୁ ସମ୍ମାନିତ କରାଯାଇଥିଲା। ନୂତନ ସଭ୍ୟମାନଙ୍କୁ ଚନ୍ଦ୍ରଶେଖର ପଟ୍ଟନାୟକ ଶପଥ ପାଠ କରାଇଥିଲେ। ନିଉ କ୍ରିଏସନ୍ ଡ୍ୟାନ୍ସ ଏକାଡେମୀର ବାଳିକାମାନେ ନୃତ୍ୟ ପରିବେଷଣ କରିଥିବା ବେଳେ କୁମାରୀ ସାଇ ଲକ୍ସନ୍ୟାଙ୍କ ତାଣ୍ଡବ ନୃତ୍ୟ ଦର୍ଶକଙ୍କୁ ମୁଗ୍ଧ କରିଥିଲା। ଅଧ୍ୟାପିକା ଅରୁଣା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।