ଅନୁଗୁଳ: ଆସନ୍ତାକାଲି ପବିତ୍ର ମହାବୀର ଜୟନ୍ତୀ ଅବସରରେ ସାରା ଭାରତବର୍ଷରେ ବିକ୍ରି ହେବନି ଗୋ ମାଂସ। ଏଣୁ ଦେଶରେ ଥିବା କଂସେଇଖାନା, ମାଂସ ଦୋକାନ ଇତ୍ୟାଦି ବନ୍ଦ ରଖିବା ପାଇଁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ଏଥିସହ ଭାରତ ସରକାର ପଶୁ ହିଂସା ନିରୋଧ ଆଇନ୍ ୨୦୦୧ ଏବଂ ସର୍ବୋଚ୍ଚ ଅଦାଲତଙ୍କ ଆଦେଶନାମା ତା.୭.୫.୨୦୧୪ ଅନୁଯାୟୀ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ଆଇନ୍ ପ୍ରବର୍ତ୍ତନ ପ୍ରାଧିକାରୀମାନଙ୍କୁ ପଶୁମାନଙ୍କ ଉପରେ ହେଉଥିବା ଅମାନୁଷିକ ଅତ୍ୟାଚାରକୁ ରୋକିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ମଙ୍ଗଳବାର ଯେପରି ଗୋ ମାଂସ ବିକ୍ରି ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ସ୍ଥାନୀୟ ମ୍ୟୁନିସପାଲ କର୍ପୋରେସନକୁ ଜଣାଇ ଦିଆଯାଇଛି।
ବିଶେଷକରି ଜୈନ ସମ୍ପ୍ରଦାୟର ଅଧିବାସୀମାନଙ୍କ ମନୋଭାବ ଉପରେ ଆଘାତ ନ ହେବା ଭଳି ସେମାନେ ଅବସ୍ଥାନ କରୁଥିବା ଅଞ୍ଚଳରେ ଏହି ଆଇନକୁ କଡା କଡି ଭାବେ ପାଳନ କରିବା ପାଇଁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।