ଅନୁଗୁଳ ଜିଲ୍ଲା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ, ୫ ଟି ମନ୍ଦିରରୁ ଆସିବ ମଶାଲ

You are currently viewing ଅନୁଗୁଳ ଜିଲ୍ଲା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ, ୫ ଟି ମନ୍ଦିରରୁ ଆସିବ ମଶାଲ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଛି। ଏ ଅବସରରେ ମଶାଲ ଶୋଭା ଯାତ୍ରା, ଅନୁଗୁଳ ଗୌରବ, କବିତା ପାଠୋତ୍ସବ ଓ ସ୍ମରଣିକା ପ୍ରକାଶନ କିଭଳି ସୁଚାରୁରୂପେ ହେବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା।

ବୈଠକ ନିଷ୍ପତ୍ତି ମୁତାବକ, ଚଳିତ ମାସ ୧୦ ତାରିଖରେ ୫ଟି ସ୍ଥାନ ଯଥା- ପାଳଲହଡାର ଖୁଲୁଡ଼ି ଶୈବ ପୀଠ, ଆଠମଲ୍ଲିକର ଦେଉଳଝରୀ, ଟିକରପଡାର ଶିବମନ୍ଦିର, ଛେଣ୍ଡିପଦାର ବାୟାଣୀ ପୀଠ ଓ ପୁରୁଣାଗଡର ଜଗନ୍ନାଥ ମନ୍ଦିରରୁ ମଶାଲ ଆସି ବିଭିନ୍ନ ବ୍ଳକ୍ ପରିକ୍ରମା କରି ତାଳଚେର ମା’ହିଙ୍ଗୁଳାଙ୍କ ପୀଠରେ ଏକତ୍ରିତ ହୋଇ ଶୈଳଶ୍ରୀକ୍ଷେତ୍ର ମନ୍ଦିରଠାରେ ସ୍ଥାପିତ ହେବେ।

ଚଳିତ ମାସ ୨୧ ତାରିଖରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସାହିତ୍ୟ ସଭା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହେବ। ଏ ଅବସରରେ କ୍ରୀଡା,ସଂସ୍କୃତି ଓ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ୩ ଜଣଙ୍କୁ ଅନୁଗୁଳ ଗୌରବ ସମ୍ମାନରେ ସମ୍ମାନିତ କରାଯିବ।

ଆଜିର ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ୱାଇଁ, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଡ. ଧରଣୀଧର ନାଥ, ଅବସରପ୍ରାପ୍ତ ପ୍ରଫେସର ଶାନ୍ତନୁ କୁମାର ସର, କଳାକାର ସଭାପତି ଭୂପେଶ ଚନ୍ଦ୍ର ପ୍ରଧାନ, ସାମ୍ବାଦିକ ସଂଗ୍ରାମ ରଞ୍ଜନ ଦାସ, ସାହିତ୍ୟ ସଂସଦର ସଭାପତି ରାଧାକାନ୍ତ ମହାନ୍ତି, ନୃତ୍ୟ ନିଳୟର ସମ୍ପାଦିକା ସ୍ୱପ୍ନାରାଣୀ ସିହ୍ନା, ପଦ୍ମଚରଣ ପ୍ରଧାନଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Share

Leave a Reply