ଅନୁଗୁଳ: ଆଜିଠୁ ଆରମ୍ଭ ହୋଇଛି ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଦଶମ ବାର୍ଷିକ ପରୀକ୍ଷା। ପ୍ରଥମ ଦିନ ଅନୁଗୁଳ ଜିଲ୍ଲାରେ ୧୫,୯୦୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୫,୬୬୨ ପରୀକ୍ଷାର୍ଥୀ ଯୋଗ ଦେଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଥିରେ ରେଗୁଲାର, ଏକ୍ସ ରେଗୁଲାର୍, ରାଜ୍ୟ ଓପନ୍ ସ୍କୁଲ, ମଧ୍ୟମାର ପରୀକ୍ଷାର୍ଥୀ ରହିଛନ୍ତି।
ପ୍ରଥମ ଦିନରେ ମାତୃଭାଷା ରହିଥିବାରୁ ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀ ମାନେ ୭.୩୦ ବେଳେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଥିଲେ। ପ୍ରଥମ ଦିନ ପରୀକ୍ଷା ସରିଥିବା ବେଳେ କେହି କପି କରି ଧରାପଡିନଥିବା ଜଣାପଡିଛି। ଅପରପକ୍ଷେ ପରୀକ୍ଷା ଆରମ୍ଭରୁ ୧୭୮ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଅଛନ୍ତି। ଏଏଚଏସସିର ୧୫୩ ଜଣ, ଏସଓସିଏସର ୨୫ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ଜଣାଯାଇଛି।

ପ୍ରଥମ ଦିନରେ ଛାତ୍ରଛାତ୍ରୀଙ୍କୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଫୁଲ ଚନ୍ଦନ ଦେଇ ସ୍ଵାଗତ କରିବା ପରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ରଛାତ୍ରୀ ମାନଙ୍କୁ ଯାଞ୍ଚ କରି ଭିତରକୁ ଛାଡି ଥିଲେ। ମାଟ୍ରିକ ପରୀକ୍ଷା ପାଇଁ ଅନୁଗୁଳ ଜିଲ୍ଲାରେ ୯୨ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ୯୨ଟି ପରୀକ୍ଷା କେନ୍ଦ୍ରରେ ୯୨ଜଣ ସେଣ୍ଟର ସୁପରିଟେଣ୍ଡେଣ୍ଟ ନିୟୋଜିତ କରାଯାଇଛି। ଏଥିରୁ ୯ଟି ସମ୍ବେଦନଶୀଳ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି। ପରୀକ୍ଷା ପରିଚାଳନା ପାଇଁ ୮ ଟି ନୋଡାଲ ସେଣ୍ଟର୍ କରାଯାଇଛି। ଏହି ନୋଡାଲ ସେଣ୍ଟର ଗୁଡିକରେ ‘ପ୍ରଶ୍ନପତ୍ର ହବ’ କରାଯାଇଛି। ଏଠାରୁ ୨୦ଟି ଡେସପ୍ୟାଚ୍ ଟିମ୍ କେନ୍ଦ୍ରକୁ ଖାତା ନେଇଛନ୍ତି।