ଆସନ୍ତା ୨୯ରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା, ଆଜିଠୁ ନୋଡାଲ୍‌ ସେଣ୍ଟରକୁ ପଠାଯିବ ପ୍ରଶ୍ନପତ୍ର

You are currently viewing ଆସନ୍ତା ୨୯ରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା, ଆଜିଠୁ ନୋଡାଲ୍‌ ସେଣ୍ଟରକୁ ପଠାଯିବ ପ୍ରଶ୍ନପତ୍ର

ଭୁବନେଶ୍ୱର/ଅନୁଗୁଳ : ଆସନ୍ତା ୨୯ ରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ଏଥିସହ ଦଶମ ଶ୍ରେଣୀ ସମେଟିଭ୍‌ ଆସେସ୍‌ମେଣ୍ଟ୍‌-୨ ତଥା ମାଟ୍ରିକ ପରୀକ୍ଷା ସହ ମଧ୍ୟମା, ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌, କରେସପେଣ୍ଡେଣ୍ଟ୍‌ କୋର୍ସ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ଏ ସମସ୍ତ ପରୀକ୍ଷା ପାଇଁ ଶୁକ୍ରବାର ଠାରୁ ବୋର୍ଡ କାର୍ଯ୍ୟାଳୟରୁ ବିଭିନ୍ନ ଜିଲ୍ଲାର ନୋଡାଲ୍‌ ସେଣ୍ଟର ଗୁଡ଼ିକୁ ପ୍ରଶ୍ନପତ୍ର ପଠାଯିବ। ଏଥିଲାଗି ୩୦ଟି ଜିଲ୍ଲାରେ ୩୧୫ଟି ନୋଡାଲ୍‌ ସେଣ୍ଟର କରାଯାଇଛି। ଏସବୁ ସେଣ୍ଟରରେ ପ୍ରଶ୍ନପତ୍ରଗୁଡ଼ିକ ଯେଭଳି ସୁରକ୍ଷିତ ରହିବ ସେଥିପାଇଁ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ଏସ୍‌ଓପି ଜାରି କରାଯାଇଛି।

ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ ୭ରେ ଶେଷ ହେବ। ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ପାଇଁ ୨ ଘଣ୍ଟା ସମୟ ଦିଆଯିବ। କେବଳ ଗଣିତ ବିଷୟ ପାଇଁ ଅତ୍ୟଧିକ ୧୫ ମିନିଟ୍ ଅର୍ଥାତ ମୋଟ୍ ୨ ଘଣ୍ଟା ୧୫ ମିନିଟ ସମୟ ମିଳିବ। ମୋଟ ମାର୍କ ରହିବ ୮୦। ସେଥିରୁ ୫୦ ମାର୍କର ସଂକ୍ଷିପ୍ତ ଓ ୩୦ ମାର୍କର ଦୀର୍ଘ ଉତ୍ତରମୂଳକ ରହିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ସଂକ୍ଷିପ୍ତ ଉତ୍ତରମୂଳକ ୫୦ ମାର୍କ ପରୀକ୍ଷା ଛାତ୍ରଛାତ୍ରୀ ଓଏମ୍‌ଆର ସିଟ୍‌ରେ ଦେବେ। ସେହିଭଳି ଦୀର୍ଘ ଉତ୍ତରମୂଳକ ୩୦ ମାର୍କ ପରୀକ୍ଷା ବୁକ୍‌ଲେଟ୍‌ରେ ଲେଖିବାକୁ ପଡିବ ବୋଲି ପୂର୍ବରୁ ବୋର୍ଡ ସୂଚନା ଦେଇଛି।

ମାଟ୍ରିକ ପରୀକ୍ଷା ପାଇଁ ରାଜ୍ୟରେ ୩ ହଜାରରୁ ଅଧିକ ପରୀକ୍ଷା କେନ୍ଦ୍ର କରାଯାଇଛି । ଚଳିତ ବର୍ଷ ରାଜ୍ୟର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ନିଜ ସ୍କୁଲରେ ନହୋଇପାରିଲେ ନିକଟବର୍ତ୍ତୀ ସ୍କୁଲରେ ପରୀକ୍ଷା ହେବ।

Share

Leave a Reply