ଅନୁଗୁଳ: ଆସନ୍ତା ଆଠ ତାରିଖରେ ଭୁବନେଶ୍ଵର ଜୟଦେବ ଭବନ ଠାରେ ମୁକୁନ୍ଦ ବରାଳ କ୍ରୀଡା ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହେବ। ରାଜ୍ୟର ବଛା ବଛା କ୍ରୀଡା ପ୍ରତିଭା ମାନଙ୍କୁ ସେଠାରେ ସମ୍ବର୍ଦ୍ଧିତ କରାଯିବ। ଅନୁଗୁଳର ବିଶିଷ୍ଟ କ୍ରୀଡାବିତ ନୀଳମଣି ଦାସଙ୍କୁ ଏ ଅବସରରେ କ୍ରୀଡା ଗୁରୁ ସମ୍ମାନ ପ୍ରଦାନ କରାଯିବ। ସମ୍ପ୍ରତି ଜେଏସପିଏଲରେ କାର୍ଯ୍ୟରତ ଶ୍ରୀ ଦାସ ୨୦୦୪ ରୁ ୨୦୧୫ ମସିହା ମଧ୍ୟରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ମୋଟ ୧୨ ଟି ପଦକ ହାତେଇ ଥିଲେ। ୨୦କିମି ଦୃତ ଚାଲି ପ୍ରତିଯୋଗିତାରେ ସେ ଏହି ସମୟ ମଧ୍ୟରେ ୬ ଟି ସ୍ଵର୍ଣ୍ଣ,୩ ଟି ରୌପ୍ୟ ଓ ୩ ଟି ବ୍ରୋଞ୍ଜ ପଦକ ହାସଲ କରିଥିଲେ।ଏହାପରେ ସେ ଅନୁଗୁଳ ଷ୍ଟାଡିୟମରେ ବିଭିନ୍ନ କ୍ରୀଡାବିତଙ୍କୁ ମାଗଣା କୋଚିଙ୍ଗ ଦେବା ଆରମ୍ଭ କରିଥିଲେ।ଗୋବିନ୍ଦ ପାଣ୍ଡେ,ପୂଜା ପରିଡ଼ା,ବିନୋଦ ସାହୁ,ସୌରଭ ନାୟକ,ପ୍ରିନ୍ସ ସେଠୀଙ୍କ ଭଳି ସେ ଅନେକ ରାଜ୍ୟ ସ୍ତରୀୟ ଖେଳାଳୀ ସୃଷ୍ଟି କରିଛନ୍ତି। ଶ୍ରୀ ଦାସଙ୍କ ମାର୍ଗ ଦର୍ଶନରେ ବର୍ତ୍ତମାନ ୩୦ ରୁ ଅଧିକ ଖେଳାଳୀ ଟ୍ରେନିଂ ନେଉଥିବା ବେଳେ ୧୫ ରୁ ଅଧିକ ଖେଳାଳୀ ଆର୍ମି,ଅବକାରୀ,ପୋଲିସ ତଥା ଶିକ୍ଷା ବିଭାଗରେ ଶାରୀରିକ ଶିକ୍ଷା ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି। ନିକଟରେ ସେ ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟ କ୍ରୀଡା ପ୍ରତିଯୋଗିତାରେ ଅନୁଗୁଳ ଦଳର କୋଚ ଦାୟିତ୍ବ ନେଇଥିଲେ ଏବଂ ଅନୁଗୁଳ ଦଳ ଆଶାତୀତ ସଫଳତା ଅର୍ଜନ କରିଥିଲା। ପୁରୀର ବିଶିଷ୍ଟ କୁସ୍ତି ଖେଳାଳୀ ମୁକୁନ୍ଦ ବରାଳଙ୍କ ସ୍ମୃତିରେ ଏହି ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହେଉଛି।
ନୀଳମଣି ଦାସଙ୍କୁ ମିଳିବ ମୁକୁନ୍ଦ ବରାଳ ସ୍ମାରକୀ କ୍ରୀଡା ଗୁରୁ ସମ୍ମାନ
- Post published:July 3, 2023
- Post category:ପ୍ରତିଭା ଓ ବ୍ୟକ୍ତିତ୍ୱ / ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul