ଅନୁଗୁଳ ବନମଣ୍ଡଳରେ ଅଛନ୍ତି ୭୭୯ ହାତୀ, ହାତୀ-ମଣିଷ ଲଢ଼େଇର ଅବସାନ ପାଇଁ ରଣନୀତି ପ୍ରସ୍ତୁତ

You are currently viewing ଅନୁଗୁଳ ବନମଣ୍ଡଳରେ ଅଛନ୍ତି ୭୭୯ ହାତୀ, ହାତୀ-ମଣିଷ ଲଢ଼େଇର ଅବସାନ ପାଇଁ ରଣନୀତି ପ୍ରସ୍ତୁତ

ଅନୁଗୁଳ: ସ୍ଥାନୀୟ ସର୍କିଟ ହାଉସ ଠାରେ ବନବିଭାଗ ଓ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ନେଇ ହାତୀ ମଣିଷ ଲଢ଼େଇର ଅବସାନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏ ଅବସରରେ ଦୀର୍ଘ ବର୍ଷ ଧରି ଅନୁଗୁଳ ବନଖଣ୍ଡ ଅଧୀନରେ ଥିବା ବନାଞ୍ଚଳ ଗୁଡ଼ିକରେ ହାତୀ ମଣିଷ ମଧ୍ୟରେ ଲଢେ଼ଇ କମିବା ବଦଳରେ କ୍ରମଶଃ ବଢ଼ିବାରେ ଲାଗିଥିବା ନେଇ ଉପସ୍ଥିତ ଥିବା ଲୋକ ପ୍ରତିନିଧି ମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଓଡ଼ିଶାରେ ରହିଥିବା ହାତୀଙ୍କ ସଂଖ୍ୟା ତୁଳନାରେ ଅନୁଗୁଳରେ ୧୪ ପ୍ରତିଶତ ହାତୀ ଦେଖାଯାଉଥିବା ନେଇ ଅନୁଗୁଳ ବନଖଣ୍ଡ ଅଧିକାରୀ ପ୍ରକାଶ କରିଥିଲେ।

ଅନ୍ୟପଟେ ଓଡ଼ିଶାରେ ସର୍ବାଧିକ ହାତୀ-ମଣିଷ ଲଢ଼େଇ ଅନୁଗୁଳ ଜିଲ୍ଲାର ଘଟୁଥିବା ବେଳେ ଆଜି ପର୍ଯ୍ୟନ୍ତ ବନ ବିଭାଗ କୌଣସି ଠୋସ ପଦକ୍ଷେପ ଗ୍ରହଣ କରି ପାରି ନାହିଁ ବୋଲି ବୈଠକରେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଥିଲେ।

ଏ ଅବସରରେ ବନ ବିଭାଗ ପକ୍ଷରୁ ୨୦୨୪ ମସିହା ଗଣନା ରିପୋର୍ଟ ପ୍ରକାଶ କରାଯାଇଥିଲା। ଅନୁଗୁଳ ବନମଣ୍ଡଳରେ ସର୍ବମୋଟ ୭୭୯ ହାତୀ ଦେଖା ଯାଉଥିବା ବେଳେ ଅନୁଗୁଳ ବନଖଣ୍ଡରେ ସେଥିରୁ ୧୧୯ଟି ହାତୀ ରହିଛନ୍ତି। ନିକଟସ୍ଥ ସତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ୧୩୫, ମହାନଦୀ ବନଖଣ୍ଡ ରେ ୩୮, ଢେଙ୍କାନାଳରେ ୨୩୯, କଟକରେ ୨୪, ଆଠମଲ୍ଲିକରେ ୪୯, ଆଠଗଡ଼ରେ ୧୭୮ଟି ହାତୀ ଦେଖାଯାଉଛନ୍ତି।

ସ୍ନେହା ନାମକ ସଂସ୍ଥା ଟିପିସିଓଡିଏଲ ପକ୍ଷରୁ ଟଙ୍କା ନେଇ ବନ୍ୟଜନ୍ତୁ ଓ ମଣିଷ ମଧ୍ୟରେ ସମନ୍ୱୟ ନେଇ ସଚେତନତା କରୁଥିବା ଡିଏଫଓ ପ୍ରକାଶ କରିଥିଲେ। ଅନୁଗୋଳ ଓ ବନ୍ତଳା ଅଞ୍ଚଳରେ ହାତୀ ମାନଙ୍କ ଗତିବିଧି ଅଧିକ ରହୁଥିବା ବେଳେ କେତେକ ସମୟରେ ଟାଉନ ମଧ୍ୟକୁ ହାତୀ ପଶି ଆସିଲେ ମଧ୍ୟ ବନବିଭାଗ ଜାଣିପାରୁନାହିଁ। ଗଜମିତ୍ର ଠାରୁ ଆରମ୍ଭ କରି ଗଜସାଥି ଅନେକ ଯୋଜନାରେ ଲୋକ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ହାତୀର ଗତିବିଧି ଲକ୍ଷ୍ୟ କରିବା ସହ ଲୋକଙ୍କ ନିକଟରେ ଖବର ପହଞ୍ଚିବାକୁ ସଠିକ ଭାବେ ନିୟୋଜିତ କରାଯାଉ ବୋଲି ବିଧାୟକ କହିଥିଲେ।

ବୈଠକରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପାଳଲହଡା ବିଧାୟକ ଅଶୋକ ମହାନ୍ତି, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁଦୀପ ଗଡନାୟକ, ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply