ଅନୁଗୁଳ: ଅନୁଗୁଳରେ ଅଣାୟତ୍ତ ହୋଇଛି କରୋନା ସଂକ୍ରମଣ। ଦୈନିକ ସଂକ୍ରମଣ ଚିନ୍ତାଜନକ ଭାବେ ବଢ଼ୁଥିବା ବେଳେ ମୃତ୍ୟୁସଂଖ୍ୟା କୋକୁୟା ଭୟ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଜିଲ୍ଲାରେ ଟିକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି। ଅନୁଗୁଳ ଷ୍ଟାଡ଼ିୟମ୍ଠାରେ ଏକ ବିଶାଳ ଟେଣ୍ଟ କରାଯାଇଥିବା ବେଳେ ଏଠାରେ ନିୟମିତ ଟିକାକରଣ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ପ୍ରଥମ ଦିବସରେ ଏକ ହଜାର ହିତାଧିକାରୀଙ୍କୁ ଟିକା ଦିଆଯାଇଥିବା ଜଣାଯାଇଛି।ଏହି ଟିକାକରଣ କେନ୍ଦ୍ରରେ ସମ୍ମୁଖ ଯୋଦ୍ଧାଙ୍କ ସହିତ ୪୫ ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ କରୋନାର ପ୍ରଥମ ଓ ଦ୍ବିତୀୟ ଡୋଜ୍ ଦିଆଯାଉଛି। ଜିଲ୍ଲାର ଯେ କୌଣସି ସ୍ଥାନରୁ ୪୫ ବର୍ଷରୁ ଊର୍ଦ୍ଧ୍ବ ଲୋକ ଆସି ଟିକା ନେଇପାରିବେ। ସମ୍ମୁଖ ଯୋଦ୍ଧା ଭାବେ ବ୍ୟାଙ୍କ କର୍ମଚାରୀ, ରେଳବାଇ କର୍ମଚାରୀ ଓ ପୌରପାଳିକାକୁ ଅକ୍ସିଜେନ୍ ଯୋଗାଉଥିବା ଯୁବକମାନଙ୍କୁ ଟିକା ପ୍ରଦାନ କରାଯାଉଛି।ସୋମବାର ପ୍ରଥମ ଦିବସରେ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ୫ଶହ ଲେଖାଏଁ ଟିକା ଦିଆଯାଇଥିଲା। ପ୍ରଥମ ଦିବସରେ ସାମାନ୍ୟ ବିଭ୍ରାଟ ଦେଖାଦେଇଥିବା ବେଳେ ଅପରାହ୍ନରେ ପାଟିତୁଣ୍ଡ ହୋଇଥିବା ଜଣାଯାଇଛି। ପ୍ରଥମ ଡୋଜ୍ର ୮୪ ଦିନ ପରେ ଦ୍ଵିତୀୟ ଡୋଜ୍ ନେବାକୁ ସ୍ଥିର ହୋଇଥିଲେ ମଧ୍ୟ ଅନେକ ନିର୍ଦ୍ଧାରିତ ସମୟ ପୂରଣ ହେବା ପୂର୍ବରୁ ଚାଲି ଆସିଥିଲେ। ଏପରିକି ଟୋକନ୍ ମଧ୍ୟ ସଂଗ୍ରହ କରିନେଇଥିଲେ। ସେହିପରି ୧୮ରୁ ୪୪ ବର୍ଷ ବୟସ୍କଙ୍କ ନିମନ୍ତେ ସଂପ୍ରତି ଟିକା ବ୍ୟବସ୍ଥା ନଥିବା ବେଳେ ସେମାନେ ବି ଟୋକନ୍ ସଂଗ୍ରହ କରିନେଇଥିବା ଦେଖାଯାଇଥିଲା। ପୌର କର୍ତ୍ତୃପକ୍ଷଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଟିକାକରଣ ଚାଲିଛି ।
ଷ୍ଟାଡିୟମ୍ରେ ମେଗା ଟିକାକରଣ, ଏକ ହଜାର ହିତାଧିକାରୀଙ୍କୁ ଟିକା
- Post published:May 19, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
