ଭୁବନେଶ୍ୱର : ଓଡ଼ିଶାରେ ମହିଳାଙ୍କୁ ସଶକ୍ତ କରିଛି ମିଶନ ଶକ୍ତି। ସେମାନଙ୍କ ସାମାଜିକ ଓ ଆର୍ଥିକ ସମାନତା ହାସଲର ବାର୍ତ୍ତାବହ ସାଜିଛି ରାଜ୍ୟ ସରକାରଙ୍କ ଏହି ଯୋଜନା। ରାଜ୍ୟର ୭୦ ଲକ୍ଷ ମହିଳା ଆଜି ନିଜ ପାଇଁ ନିଜେ ପରିଚୟ ସୃଷ୍ଟି କରିଛନ୍ତି। ସେହି ମହିଳାମାନଙ୍କ ହାତ ମୁଠାକୁ ଟାଣ କରିବା ଲକ୍ଷ୍ୟରେ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ମାର୍କେଟ୍ ବିଲ୍ଡିଂ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହ ଏସ୍ଏଚ୍ଜିଙ୍କୁ ଅଧିକ ପରିମାଣର ଋଣ ସହାୟତା ଦେବା ପାଇଁ ସବୁ ବ୍ୟାଙ୍କକୁ ପତ୍ର ଲେଖିଛି ରାଜ୍ୟ ଅର୍ଥ ବିଭାଗ। ଏହି ଅର୍ଥର ସୁବିନିଯୋଗ ପାଇଁ ଏସ୍ଏଚ୍ଜିଙ୍କୁ ଆବଶ୍ୟକ ତାଲିମ ଦେବା ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ ହୋଇଛି।
ସୂଚନା ମୁତାବକ, ରାଜ୍ୟର ୩ ଲକ୍ଷ ଏସ୍ଏଚ୍ଜିଙ୍କୁ ଇତି ମଧ୍ୟରେ ୮ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଦିଆଯାଇଛି। ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମଞ୍ଜୁର କରାଯାଉଛି। ପୂର୍ବରୁ ସର୍ବାଧିକ ଋଣ ସୀମା ୩ ଲକ୍ଷ ଥିଲା। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଋଣ ଉପରେ ସୁଧ ବାବଦରେ ୨୦୦ କୋଟି ଟଙ୍କା ଏସ୍ଏଚ୍ଜିଙ୍କ ଆକାଉଣ୍ଟରେ ଫେରସ୍ତ କରିବା ପାଇଁ ଲକ୍ଷ୍ୟ ରହିଛି। ସେହିପରି ଆଗାମୀ ୫ ବର୍ଷ ଭିତରେ ୫୦ ହଜାର କୋଟି ଟଙ୍କାର ଋଣ ସହାୟତା ଦିଆଯିବ। ଋଣ ଫେରସ୍ତ ବାବଦରେ ୧୨୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
ମହିଳାଙ୍କ ସହାୟତାରେ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ମାର୍କେଟ୍ ବିଲ୍ଡିଂ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ବିଧାନସଭା ଷ୍ଟାଣ୍ଡିଂ କମିଟି ପକ୍ଷରୁ ଏ ନେଇ ମିଶନ୍ଶକ୍ତି ବିଭାଗକୁ ସୁପାରିସ କରାଯାଇଛି। ମିଶନ୍ ଶକ୍ତି ମହିଳାଙ୍କ ଉତ୍ପାଦ ବିକ୍ରି ପାଇଁ ୫୦୦ ଖୁଚୁରା ବିକ୍ରୟ କେନ୍ଦ୍ର ଖୋଲାଯିବ। ଏଥିସହ ଭୁବନେଶ୍ୱରରେ ଏକ ମିଶନ୍ ଶକ୍ତି ବୁଟିକ୍ ଖୋଲାଯିବ। ଏବେ ସୁଦ୍ଧା ରାଜ୍ୟର ୩୦୦ ଏସ୍ଏଚ୍ଜି ସେମାନଙ୍କ ଉତ୍ପାଦର ଅନଲାଇନ୍ ମାର୍କେଟିଂ ପାଇଁ ଫ୍ଲିପ୍କାର୍ଟ ସହିତ ଅନୁବନ୍ଧିତ ହୋଇଛନ୍ତି।
ସେହିପରି ଏସ୍ଏଚ୍ଜି ମାନେ ଯେପରି ବ୍ୟାଙ୍କ ଋଣ ପାଇବାରେ ସମସ୍ୟା ଭୋଗିବେ ନାହିଁ ସେଥିପାଇଁ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ସବୁ ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖିଛନ୍ତି। ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଋଣ ହାର ବୃଦ୍ଧି କରିବା ପାଇଁ ପରାମର୍ଶ ଦିଆଯାଇଛି। ୨୦୨୨-୨୩ରେ ଏସ୍ଏଚ୍ଜିଙ୍କୁ ବ୍ୟାଙ୍କଗୁଡ଼ିକ ହାରାହାରି ୨.୮୫ ଲକ୍ଷ ଟଙ୍କା ଲେଖାଏଁ ଋଣ ପ୍ରଦାନ କରିଛନ୍ତି।