କୂଅରେ ପଡ଼ିଥିବା ଛୁଆକୁ ମା’ ହାତୀ କୌଶଳ କରି ଉଦ୍ଧାର କଲା

You are currently viewing କୂଅରେ ପଡ଼ିଥିବା ଛୁଆକୁ ମା’ ହାତୀ କୌଶଳ କରି ଉଦ୍ଧାର କଲା

ବଅଁରପାଳ: ମା’ର ମମତା ଆଗରେ ମୃତ୍ୟୁ ହାର ମାନିଛି। ମୋଟଙ୍ଗା ଥାନା ଅଞ୍ଚଳର କୁରୁଣ୍ଟି ଗ୍ରାମ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରାୟ ୪୦ଟି ହାତୀଙ୍କ ଏକ ଦଳ ଗୁରୁବାର ସକାଳ ୬ଟା ବେଳେ ଖଡକପ୍ରସାଦ ବ୍ରାହ୍ମଣୀ ପବ୍ଲିକ୍ ରୋଡ୍ ଦେଇ ଯାଉଥିବା ବେଳେ ହଠାତ୍ ଏକ ଛୁଆ ହାତୀ ନିକଟସ୍ଥ ଏକ ଖୋଲା କୂଅରେ ପଡ଼ିଯାଇଥିଲା। ଅନ୍ୟ ହାତୀମାନେ ଆଗେଇ ଯାଇଥିବା ବେଳେ ମା’ ହାତୀ ଛୁଆକୁ ନ ଦେଖି ଫେରି ଆସି କୂଅ ଭିତରେ ପଡ଼ିଥିବାର ଦେଖିଥିଲା।

ପ୍ରଥମେ ମା’ ହାତୀ ନିଜ ଶୁଣ୍ଢ ବଢ଼ାଇ ଛୁଆକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଶୁଣ୍ଢ ଛୁଆକୁ ଛୁଇଁ ପାରି ନ ଥିଲା। ବାରମ୍ବାର ଚେଷ୍ଟା କରି ମଧ୍ୟ ବିଫଳ ହେବା ପରେ ସେ ନିରାଶ ନ ହୋଇ ଏକ ଚତୁର କୌଶଳ ଅବଲମ୍ବନ କରିଥିଲା। ଶୁଣ୍ଢ ଦ୍ୱାରା କୂଅରୁ ପାଣି ଆଣି କୂଅ ଚାରିପାଖେ ପକାଇ ନିଜ ଗୋଡ଼ରେ ଦଳି ଦେଇଥିଲା। ଏହି ପ୍ରକ୍ରିୟା ବାରମ୍ବାର କରିବାରୁ କୂଅର ପାଚେରୀ ଭାଙ୍ଗିଯାଇଥିଲା ଏବଂ ମାଟି ଦବି ଯାଇଥିଲା। ଫଳରେ କୂଅର ଜଳସ୍ତର ବଢ଼ିବା ସହ ଛୁଆ ହାତି ଉପରକୁ ଉଠି ଆସିଥିଲା। ଅବଶେଷରେ ମା’ ହାତୀ ଶୁଣ୍ଢରେ ଛୁଆକୁ ଧରି ସୁରକ୍ଷିତ ଉଦ୍ଧାର କରିଥିଲା।

ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀ ଏବଂ ହାତୀ ଉଦ୍ଧାର ଯାନ ଉପସ୍ଥିତ ଥିବା ବେଳେ ବନ କର୍ମଚାରୀମାନେ ନୀରବ ଦର୍ଶକ ଭାବେ ମା’ ହାତିର ଚତୁରତାକୁ ଦେଖୁଥିଲେ। ଉଦ୍ଧାର ପରେ ମା’ ଓ ଛୁଆ ନିକଟସ୍ଥ ଜଙ୍ଗଲ ଆଡ଼େ ଚାଲିଯାଇଥିଲେ।

Share

Leave a Reply