ଅନୁଗୁଳ: ଜୁନ ୩ ତାରିଖ ଅନୁଗୁଳ ରେଳ ଷ୍ଟେସନରେ ବଅଁରପାଳ ବ୍ଲକ କୁକୁଡ଼ାଙ୍କ ପଞ୍ଚାୟତ ରଙ୍କାସିଂହା ଗାଁର ଗୋଟିଏ ପରିବାରର ସମସ୍ତ ସଦସ୍ୟ ଏବଂ ସାହି ପଡ଼ିଶାର ଲୋକ ମିଶି ପ୍ରାୟ ୨୦ ଜଣ ଅପେକ୍ଷା କରିଛନ୍ତି ଏକ ଟ୍ରେନକୁ।
ସମସ୍ତଙ୍କ ମନରେ ଅନେକ ଆଶଙ୍କା,ଅନେକ ଉତ୍କଣ୍ଠା। ଷ୍ଟେସନକୁ କେହି ନେତା ଅବା ଅଭିନେତା ଆସିବାର ନଥିଲା। ତେବେ କିଏ ଆସୁଛି ଟ୍ରେନରେ। ଟ୍ରେନରେ ଆସୁଥିଲେ ରଙ୍କାଶିଂହା ଗାଁର ପୁଅ
ଯିଏକି ୧୯୯୬ ମସିହାରୁ ଗାଏବ ହୋଇଯାଇଥିଲେ। ଆଜି ୨୯ ବର୍ଷର ବ୍ୟବଧାନ ପରେ ମା’ ପାଇବ ତାର ଗଣ୍ଠିଧନକୁ ଯାହା ପାଇଁ ସେ ଗତ ୨୯ ବର୍ଷ ଧରି ଖାଲି ଉପାସ ବ୍ରତ କରୁନଥିଲେ ତପସ୍ୟା କରିଥିଲେ।ଗୋଟିଏ ଓଳି ଖାଇ ଠାକୁରଙ୍କୁ ନିତି ଡାକି ଚାଲିଥିଲେ।
ଟ୍ରେନ ଆସିଲା ହଜିଲା ପୁଅକୁ ଦେଖି ବାପା,ମା’,ଭାଇ,ସାହିପଡିଶା ସମସ୍ତେ ଆନନ୍ଦରେ ଅଧୀର, କାହା ପାଟିରେ ଭାଷା ନାହିଁ। କେବଳ ଲୁହ ଆଉ ଲୁହ। ସମଗ୍ର ଘଟଣାଟି ଭାବାବେଗରେ ଆପଣଙ୍କୁ ପ୍ରାଣସିକ୍ତ କରିବ ନିଶ୍ଚୟ।
ସରୋଜ କୁମାର ଦାସ ଗାଁର ଜଣେ ମେଧାବୀ ଛାତ୍ର ଥିଲେ। ଗାଁରେ ସମସ୍ତେ ତାଙ୍କୁ ରାଜା ବୋଲି ଡାକୁଥିଲେ। ୧୯୯୬ ମସିହାର କଥା।ଯୁକ୍ତ ଦୁଇ ବିଜ୍ଞାନର ଫଳ ବାହାରିଲା।ହେଲେ ଅନୁଗୁଳ କଲେଜରେ ପଢୁଥିବା ରାଜା ଫେଲ ହୋଇଥିଲେ। ଏହା ରାଜାକୁ ଏତେ ମାନସିକ ଭାବେ ଆଘାତ ଦେଇଥିଲା ଯେ, ସେ ଘରେ ଆଉ ଗାଁରେ ମୁଁହ ଦେଖାଇବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ତେଣୁ ସେ ଘର ପରିବାର ଛାଡ଼ିବାକୁ କଠୋର ନିଷ୍ପତ୍ତି ନେଲେ। ଅନୁଗୁଳରୁ ରାୟପୁର ଦେଇ ପରେ ସେ ମହାରାଷ୍ଟ୍ରର ନାଗପୁର ଅଞ୍ଚଳକୁ ଚାଲିଗଲେ। ଏଣେ ଘରେ ବାପା ଭାଇ ବହୁ ଖୋଜା ଖୋଜି କଲେ। ପୂଜା ପାଠ କଲେ, ଗୁଣିଆ ପାଖକୁ ଗଲେ ହେଲେ ସବୁ ନିଷ୍ଫଳ।ବର୍ଷ ପରେ ବର୍ଷ ଗଡି ଚାଲିଲା। ରାଜାର ଆଉ ଖୋଜ ଖବର ମିଳିଲା ନାହିଁ। ସାହି ଭାଇ କହିଲେ ହାଣ୍ଡି ପକାଇ ଦିଅ। ହେଲେ ବାପା ନବ କିଶୋର ଦାସ ଓ ମା’ ଶାନ୍ତିଲତା ଦାସଙ୍କ ମନ ବୁଝୁ ନଥିଲା। ପୁଅ ତାଙ୍କର ନିଶ୍ଚୟ ଫେରିବ ଏଇ ଆଶା ନେଇ ସେମାନେ ସମୟ କାଟୁଥିଲେ। ଗତ ସାବିତ୍ରୀ ଦିନ ରାଜାଙ୍କ ବଡ଼ ଭାଇ ସନ୍ତୋଷ ମା’ଙ୍କ ଏକ ଫଟୋ ଫେସବୁକରେ ପୋଷ୍ଟ କରିଥିଲେ। ହଠାତ୍ କିଛି ଘଣ୍ଟା ପରେ ସେ ଦେଖିଲେ ଏହି ପୋଷ୍ଟ ଉପରେ କମେଣ୍ଟରେ ପଡ଼ିଛି – ଶାଶୁ ମା’ ପ୍ରଣାମ। ସନ୍ତୋଷ ପ୍ରଥମେ କିଛି ବୁଝିପାରିଲେ ନାହିଁ। ପରେ ସେ ଫେସବୁକ୍ ପୋଷ୍ଟକୁ ଟ୍ରାକିଂ କରି ଚାଟିଂ କରି ଜାଣିଲେ ତାଙ୍କ ଭାଇ ନାଗପୁରରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଛନ୍ତି। ଭଲରେ ଅଛନ୍ତି। ଆଠ ମାସ ତଳେ ମରାଠୀ ଝିଅକୁ ବାହା ମଧ୍ୟ ହେଇଛନ୍ତି। ସନ୍ତୋଷଙ୍କ ଫଟୋ ପୋଷ୍ଟ ପରେ ରାଜା ଏହାକୁ ଦେଖି ଦେଇଥିଲେ ଏବଂ କାନ୍ଦିବାକୁ ଲାଗିଥିଲେ। ତାଙ୍କ ସ୍ତ୍ରୀ ଏହାର କାରଣ ପଚାରିବାରୁ ରାଜା କହିଲେ ମା’ ଫଟୋ ଦେଖି ଘର କଥା ମନ ପଡୁଛି, ମୁଁ ମା’ ପାଖକୁ ଯିବି। ଆଉ ତାପରେ ରାଜାଙ୍କ ସ୍ତ୍ରୀ ପୋଷ୍ଟରେ ତୁରନ୍ତ ଶାଶୁ ମା’ ପ୍ରଣାମ ବୋଲି ଲେଖି ଦେଇଥିଲେ।
ଶେଷରେ ସନ୍ତୋଷ ଫୋନ୍ ନମ୍ୱର ଆଉ ଠିକଣା ଦେଇ ଘରକୁ ଆସିବାକୁ କହିଥିଲେ। ୨୯ ବର୍ଷ ପରେ ରାଜାକୁ ପାଇ ବାପା ମା’ଙ୍କ ଆଖିରେ ଏବେ ଆନନ୍ଦର ଅଶ୍ରୁ।ସାଇପଡିଶାରେ ମିଠା ବଣ୍ଟା ଆଉ ମନ୍ଦିରରେ ଭୋଗ ରାଗ। ୨୯ ବର୍ଷ ପରେ ମା’ ପୁଅଙ୍କ ମିଳନ ଦେଖିବାର କଥା। ଧନ୍ୟବାଦ୍ ଫେସ୍ ବୁକ୍।