ଅନୁଗୁଳ: ଟିଟିପିଏସ୍ ବନ୍ଦ ପ୍ରସଙ୍ଗକୁ ନେଇ ଜୋର୍ ଧରିଛି ରାଜନୀତି । ବିଜେଡ଼ି ଓ ବିଜେପି ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି । ଟିଟିପିଏସକୁ ଚାଲୁ କରିବା ପାଇଁ ବୁଧବାର ବିଜେଡି ଅନୁଗୁଳ ବନ୍ଦ କରିଥିବା ବେଳେ ଏହାକୁ ଦୃଢ଼ ନିନ୍ଦା କରିଛି ବିଜେପି। ଏ ବନ୍ଦ ଜିଲ୍ଲାବାସୀଙ୍କ ସ୍ୱାର୍ଥ ପାଇଁ ନୁହଁ, ବରଂ ବିଜେଡିର ଅନ୍ତଃ କନ୍ଦଳ ଲୁଚାଇବାକୁ ଆନ୍ଦୋଳନ କରୁଥିବା ବିଜେପି ନେତା ଅଭିଯୋଗ ଆଣିଛନ୍ତି । ୭ ଘଣ୍ଟା ପାଇଁ ଅନୁଗୁଳ ବନ୍ଦ ହେବା ଦ୍ୱାରା ଜିଲ୍ଲାରେ ବ୍ୟବସାୟିକ କାରବାର ଠପ୍ ହେବା ସହ ରାଜ୍ୟର ରାଜସ୍ବ ହାନି ହୋଇଛି ବୋଲି ବୁଧବାର ଅପରାହ୍ନରେ ଆୟୋଜିତ ଏକ ସାମ୍ବାଦିକ ସଶ୍ମିଳନୀରେ ବିଜେପି ପକ୍ଷରୁ କୁହାଯାଇଛି । ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ସଭାପତିତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଦଳର ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ କହିଲେ, ଟିଟିପିଏସର ଆଜିର ସ୍ଥିତି ପାଇଁ ରାଜ୍ୟ ସରକାର ଓ ବିଜେଡି ହିଁ ଦାୟୀ।ରାଜ୍ୟ ସରକାର ଅନୁମୋଦନ ଦେଇଥିଲେ ୨୦୧୮ ମସିହାରେ ଏହାର ଶିଳନ୍ୟାସ ହୋଇଥାନ୍ତା । ମାତ୍ର ରାଜ୍ୟ ସରକାର ଜାଣିଶୁଣି ଏଥିରେ ବିଳମ୍ବ କଲେ । ୨୦୨୦ ମସିହାରେ ରାଜ୍ୟ ସରାକର ଅନୁମୋଦନ କରିବା ବେଳକୁ ବିଳମ୍ବ ହୋଇସାରିଥିଲା । ଯାହାର ଫଳସ୍ୱରୂପ ଆଜି ଟିଟିପିଏସ୍ ବନ୍ଦ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଶ୍ରୀ ସାମଲ ଅଭିଯୋଗ କରିଥିଲେ ।ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତ ବେହେରା, ମିଡିଆ ସେଲ ଆବାହକ ପର୍ଶୁରାମ ବାରିକ, ଜିଲ୍ଲା ଉପସଭାପତି ଅମୀୟ ତ୍ରିପାଠୀ, ବୃନ୍ଦାବନ ବେହେରା, ସୁଦୀପ ଗଡ଼ନାୟକ, ଚିତ୍ତରଞ୍ଜନ ମେହେର, ନମିତା ଦଳବେହେରା, ସମୀର ପରିଡା, ସୋମନାଥ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ତଃ କନ୍ଦଳ ଲୁଚାଇବାକୁ ଆନ୍ଦୋଳନ: ବିଜେପି
- Post published:April 8, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
