ଟାଟା ପାୱାର ସହ ମିଶି ଲୁଟୁଛି ବିଜେପି ! ଅତିରିକ୍ତ ସିକ୍ୟୁରିଟି ଫି’ ଆଦାୟକୁ ବିରୋଧ କରି ଆନ୍ଦୋଳନ ଚେତାବନୀ ଦେଲା ଏ.ଆଇ.ଇ.ସି.ଏ
ଅନୁଗୁଳ: ଶାସନକୁ ଆସିବା ପୂର୍ବରୁ ଲମ୍ବା ଲମ୍ବା ଭାଷଣ ଦେଉଥିବା ବିଜେପି ଏବେ ଦେଇଥିବା କଥା ବି ରଖୁନି। ନିର୍ବାଚନୀ ପ୍ରଚାର ବେଳେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା ବିଜେପି। କିନ୍ତୁ ମାଗଣା ବିଜୁଳି ଦୂରେ ଥାଉ ଏବେ ଟାଟା ପାୱାର ସହ ମିଶି ଉପଭୋକ୍ତାଙ୍କୁ ଶୋଷଣ କରୁଥିବା ଅଭିଯୋଗ ଆସୁଛି। ଏ ନେଇ ଅଭିଯୋଗ କରିଛି ଅଲ୍ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏସନ୍ (ATECA)।
ଅଭିଯୋଗ ମୁତାବକ, ପୁରୁଣା ମିଟର ଅଚଳ କହି ନୂତନ ମିଟର ବସାଇବା ନାଁରେ ବିଲ୍ ଆଦାୟ, ସ୍ମାର୍ଟ ମିଟର ବସାଇବା ଏବଂ ମନଇଚ୍ଛା ବିଦ୍ୟୁତ୍ ଦର ନିର୍ଦ୍ଧାରଣ କରି ବିଦ୍ୟୁତ୍ ବିତରଣ ଦାୟିତ୍ଵରେ ଥିବା ଟାଟା କମ୍ପାନୀ ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ଶୋଷଣ କରି ଚାଲିଛି। ବର୍ତ୍ତମାନ ଓଡିଶା ବିଦ୍ୟୁତ୍ ନିୟମାଙ୍କ ଆୟୋଗ (ଓଇଆରସି) ନାଁରେ ବିଦ୍ୟୁତ୍ ଉପଭୋକ୍ତାମାନଙ୍କ ଠାରୁ ଅତିରିକ୍ତ ସିକ୍ୟୁରିଟି ଆଳରେ ନୂଆଭାବେ ବିଭିନ୍ନ ପ୍ରକାରର ଫି ଆଦାୟ କରାଯାଉଛି।
ସୂଚନାଯୋଗ୍ୟ ଯେ ବିଦ୍ୟୁତ୍ ସଂଯୋଗ ନେବା ବେଳେ ବିଦ୍ୟୁତ୍ ଉପଭୋକ୍ତାମାନେ ନିୟମ ଅନୁଯାୟୀ ସିକ୍ୟୁରିଟି ଫି ଦାଖଲ କରିଥାନ୍ତି। ପୁରୁଣା ବିଦ୍ୟୁତ୍ ଉପଭୋକ୍ତାଙ୍କ ଠାରୁ ବର୍ତ୍ତମାନର ବିଦ୍ୟୁତ୍ ବିତରଣ କମ୍ପାନୀ ଅତିରିକ୍ତ ସିକ୍ୟୁରିଟି ଫି ଆଦାୟ କରିବା ଅତ୍ୟନ୍ତ ଅନ୍ୟାୟ ଓ ଅଗଣତାନ୍ତ୍ରିକ ବୋଲି ଅଲ୍ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏସନ୍ (ATECA) ପକ୍ଷରୁ ପ୍ରକାଶ କରାଯାଇଛି । ଟାଟା ପାୱାର.ପକ୍ଷରୁ ବିଭିନ୍ନ ଅଞ୍ଚଳରେ ବେଆଇନ୍ ଭାବରେ ବିଦ୍ୟୁତ୍ ଉପଭୋକ୍ତାମାନଙ୍କ ଠାରୁ ଆଦାୟ କରାଯାଇଥିବା.ଅତିରିକ୍ତ ସିକ୍ୟୁରିଟି ଫି ତୁରନ୍ତ ଫେରସ୍ତ କରିବା ସହିତ ଅତିରିକ୍ତ ସିକ୍ୟୁରିଟି ଫି ଆଦାୟ ବନ୍ଦ କରିବାକୁ ଅଲ୍ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏସନ୍ (ATECA) ପକ୍ଷରୁ ଦାବି କରାଯାଇଛି।
ଏହି ନିଷ୍ପତ୍ତି ବାତିଲ୍ ପାଇଁ ସମସ୍ତ ବିଦ୍ୟୁତ୍ ଉପଭୋକ୍ତା ଆଗେଇ ଆସିବା ସହିତ ଟାଟା ପାୱାର ଅଫିସ୍ ସମ୍ମୁଖରେ ଆନ୍ଦୋଳନ କରିବାକୁ ଅଲ୍ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏସନ୍ (ATECA) ର ରାଜ୍ୟ ଆବାହକ ଜୟସେନ ମେହେର, ସର୍ବଭାରତୀୟ ସମ୍ପାଦକମଣ୍ଡଳୀ ସଭ୍ୟ ପ୍ରହଲ୍ଲାଦ ଚନ୍ଦ୍ର ସାହୁ, ଜିଲ୍ଲା ଆବାହକ ତୀର୍ଥବାସୀ ଭୋଇ ପ୍ରମୁଖ ଆହ୍ୱାନ କରିଛନ୍ତି।