ଅନୁଗୁଳ:ରାଷ୍ଟ୍ରୀୟ ସ୍ତରରେ ବିଭିନ୍ନ ଗଣ ସଙ୍ଗଠନମାନେ ସମ୍ମିଳିତ ହୋଇ ‘ନଫରତ୍ ଛାଡ଼ ସମ୍ବିଧାନ ବଞ୍ଚାଅ ଅଭିଯାନ’ ଆରମ୍ଭ କରିଛନ୍ତି। ମୁମ୍ବାଇ ସ୍ଥିତ କ୍ରାନ୍ତି ମୈଦାନ ଓ ଦିଲ୍ଲୀର ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପରିସରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଡଃ ଜିଜି ପାରିଖ, ଜନ ଆନ୍ଦୋଳନ ନେତ୍ରୀ ମେଧା ପାଟକର, ସାମାଜିକ କର୍ମୀ ଅରୁଣା ରାୟ, କୃଷକ ନେତା ଯୋଗେନ୍ଦ୍ର ଯାଦବ, ଗାନ୍ଧୀଜୀଙ୍କ ଅଣନାତି ତୁଷାର ଗାନ୍ଧୀ ପ୍ରମୁଖଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ବ୍ୟାପକ କରିବା ପାଇଁ ଅନୁଗୁଳ ବାଜିରାଉତ ଛାତ୍ରାବାସ ପରିସରରେ ଅଭିଯାନର ରାଜ୍ୟ ଆବାହକ କଲ୍ୟାଣ ଆନନ୍ଦଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଦେଶରେ ବଢୁଥିବା ବେରୋଜଗାରୀ, ଦରଦାମ ବୃଦ୍ଧି, ସାମ୍ପ୍ରଦାୟିକ ଅସ୍ଥିରତା ତୀବ୍ର ଭାବରେ ବୃଦ୍ଧି ପାଇବା ସତ୍ତ୍ୱେ କେନ୍ଦ୍ର ସରକାର ଆଦାନୀ – ଆମ୍ବାନୀ ଭଳି କର୍ପୋରେଟମାନଙ୍କ ସପକ୍ଷରେ ଦେଶର ନୀତିକୁ ବଦଳାଇବାକୁ ଲାଗିଛନ୍ତି। ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଡ. ରାଜେନ୍ଦ୍ର ପ୍ରସାଦ ତଥା ଡ଼. ବାବାସାହେବ ଆମ୍ବେଦକରଙ୍କ ନେତୃତ୍ୱରେ ତିଆରି ହୋଇଥିବା ଭାରତର ସମ୍ବିଧାନକୁ ବଦଳାଇବା ପାଇଁ ଚାଲିଥିବା ଅପଚେଷ୍ଟା କଥା ବୁଝା ପଡ଼ିଲାଣି। ଭାରତୀୟ ଅଭିଯାନର ଜିଲ୍ଲା ଆବାହକ ଭାବରେ ସୂର୍ଯ୍ୟ ନାରାୟଣ ନାଥ ଗ୍ରହଣ କରାଯାଇଥିଲ।
ଆସନ୍ତା ୨୬ ନଭେମ୍ବର ସୁଦ୍ଧା ଜିଲ୍ଲାରେ ୭୫ ଟି ଗାଁ ବ୍ୟାପି ପଦଯାତ୍ରା ଓ ସାଇକେଲ ଯାତ୍ରା ଆୟୋଜିତ ହେବ ତଥା ରାଜ୍ୟବ୍ୟାପୀ ବାହନ ଯାତ୍ରା ମାଧ୍ୟମରେ ଓଡ଼ିଶାର ପୁରପଲ୍ଲୀରେ ଅଭିଯାନର ବାର୍ତ୍ତା ପହଞ୍ଚାଯିବ। ଅନୁଷ୍ଠିତ ବୈଠକରେ କୈଳାଶ ଚନ୍ଦ୍ର ସାହୁ,ଶଙ୍କର ବେହେରା ,ଆଦ୍ୟଶ୍ଳୋକ ମିଶ୍ର, ଦେବେନ୍ଦ୍ର ନାଥ ଆଚାର୍ଯ୍ୟ, ରାକେଶ ମିଶ୍ର, ପ୍ରିୟବ୍ରତ ସ୍ବାଇଁ,ପ୍ରଦ୍ୟୁମ୍ନ କୁମାର ନାଏକ,ଲିପିକା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।