ଅନୁଗୁଳ: ନାଲକୋ ବ୍ରାଉନ ଫିଲଡ଼ ସମ୍ପ୍ରସାରଣ ପାଇଁ ଜମି ହରାଉଥିବା ଗ୍ରାମବାସୀ ଶୁକ୍ରବାର ଅନୁଗୁଳ ଗସ୍ତରେ ଥିବା ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଚିନ ଆର ଯାଦବଙ୍କୁ ଭେଟି ସ୍ଥାୟୀ ନିଯୁକ୍ତି ଦାବି ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଜମି ଅଧିଗ୍ରହଣ ପ୍ରକ୍ରିୟାରେ ପ୍ରତି ପଟ୍ଟାଧାରୀ ପରିବାରକୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ପାଇଁ ଗ୍ରାମବାସୀ ଦୃଢ଼ ରହିଛନ୍ତି।
ସୂଚନା ଅନୁଯାୟୀ, ନାଲକୋ ସମ୍ପ୍ରସାରଣ ଯୋଜନାକୁ ନେଇ ଜମି ଅଧିଗ୍ରହଣ ନୋଟିସ ଓ ପରିବେଶ ଆକଳନ ବୈଠକରେ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ପରିସ୍ଥିତି ଜଟିଳ ହେଉଛି। ଅନେକ ଥର ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା ବିଫଳ ହୋଇଥିଲା। ତିନି ମୌଜାର ଜମିହରା ଗ୍ରାମବାସୀ ସର୍ଭେ କାର୍ଯ୍ୟରେ ସହଯୋଗ କରିନଥିଲେ। ପରେ ଅତିରିକ୍ତ ଜିଲ୍ଲାପାଳଙ୍କ ମଧ୍ୟସ୍ଥତାରେ ପ୍ରତି ପଟ୍ଟା ପିଛା ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ନେଇ ଆଲୋଚନା ସଫଳ ହୋଇଥିଲା, ଯାହା ପରେ ଗ୍ରାମବାସୀ ସର୍ଭେ ପାଇଁ ସହମତି ଦେଇଥିଲେ।
ତେବେ ସର୍ଭେ ସମ୍ପୂର୍ଣ୍ଣ ହେବା ପରେ ମଧ୍ୟ ନାଲକୋ ସ୍ଥାୟୀ ନିଯୁକ୍ତି ପ୍ରଦାନରେ ବିଳମ୍ବ କରୁଥିବା ଅଭିଯୋଗ ହୋଇଛି। ଜମି ଅଧିଗ୍ରହଣ ନୋଟିସ ଯୋଗୁଁ ବର୍ଷ ବର୍ଷ ଧରି ଜମିରେ କିଣାବିକା ବା ପଟ୍ଟାଫାଡ଼ ଆଦି କାର୍ଯ୍ୟ ବନ୍ଦ ରହିଛି। ଗ୍ରାମବାସୀ ସ୍ପଷ୍ଟ କରିଛନ୍ତି ଯେ, ସ୍ଥାୟୀ ନିଯୁକ୍ତି ନ ମିଳିଲେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିରୋଧ ଜାରି ରହିବ। ଏହି ଦାବିପତ୍ର ପ୍ରଦାନ ସମୟରେ ପ୍ରତାପ ନାଥ, ସନ୍ତୋଷ ଖୁଣ୍ଟିଆ, ସୁରଥ ବେହେରା, ନିରାକାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।