ଅନୁଗୁଳ: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଐତିହାସିକ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ସମ୍ପର୍କରେ ସୂଚନା ପ୍ରଦାନ କରିବା ପାଇଁ ଅନୁଗୁଳ ଜିଲ୍ଲାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଉପସ୍ଥିତ ନେତୃବୃନ୍ଦ ମତବ୍ୟକ୍ତ କରିଛନ୍ତି ଯେ, ଏହି ଅଧିନିୟମ କେବଳ ୨୦୨୯ ମସିହାରେ ସଂସଦ ଓ ବିଧାନସଭାରେ ମହିଳାମାନଙ୍କୁ ଏକ ତୃତୀୟାଂଶ ସଂରକ୍ଷଣ ଦେବ ନାହିଁ, ବରଂ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ଦିଗରେ ଏହା ଏକ ଶକ୍ତ ଆଧାରଶିଳା ହେବ। ନାରୀ ଶକ୍ତିର ଏହି ବିଜୟକୁ ଅଧିକ ସ୍ମରଣୀୟ କରିବା ଲାଗି ଆଗାମୀ ଦିନରେ ଜିଲ୍ଲାରେ ପଦଯାତ୍ରା, ସ୍କୁଟି ଶୋଭାଯାତ୍ରା ଏବଂ ସଭା ମାଧ୍ୟମରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବ। ଏହି ମହାନ ଅଭିଯାନକୁ ସମର୍ଥନ ଜଣାଇବା ପାଇଁ ସାଧାରଣ ଜନତା 9667173333 ନମ୍ବରରେ ମିସ୍ଡ କଲ୍ କରିବାକୁ ସମ୍ମିଳନୀରେ ଆହ୍ୱାନ ଦିଆଯାଇଛି।
ସାମ୍ବାଦିକ ସମ୍ମିଳନୀରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର ଏବଂ ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ଶୁଚିସ୍ମିତା ତ୍ରିପାଠୀ ଉପସ୍ଥିତ ରହି ମହିଳା ସଶକ୍ତୀକରଣ କ୍ଷେତ୍ରରେ ଏହି ଆଇନର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନୁଗୁଳ ଜିଲ୍ଲାରେ ମହିଳାମାନଙ୍କୁ ଏହି ଅଭିଯାନ ସହ ଯୋଡ଼ିବା ପାଇଁ ଦଳ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବା ନେଇ ସୂଚନା ମିଳିଛି।











