ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜାତୀୟ କୁଷ୍ଠ ଦିବସ ପାଳିତ ହୋଇଛି। ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ.ବିଶ୍ବ ବିହାରୀ ମହାନ୍ତି ଅଧ୍ୟକ୍ଷତା କରି ଏହି ଦିବସ ପାଳନର ତାତ୍ପର୍ଯ୍ୟ ବୁଝାଇଥିଲେ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଅବସରରେ ଏହି ଦିବସ ପାଳିତ ହେଉଛି।
ଅନ୍ୟରୋଗ ପରି କୁଷ୍ଠ ରୋଗ ଏକ ସାଧାରଣ ଜୀବାଣୁ ଜନିତ ରୋଗ। ବଧିରା ଛଉ, ଚର୍ମ ମୋଟା ହୋଇ ତେଲିଆ ବା ଚିକ୍କଣ ଦେଖାଯିବା, ହାତ ଓ ଗୋଡ ଶୁଖୁଲା ହୋଇ ବଧିରା ଲାଗିବା ବା ଆଖୁ, ହାତ ଓ ପାଦରେ ମାଂସପେଶୀ ଦୁର୍ବଳ ଲାଗିବା ଆଦି କୁଷ୍ଠ ରୋଗର ଲକ୍ଷଣ। ଉପରୋକ୍ତ ଲକ୍ଷଣ ଦେଖାଦେଲେ ସଙ୍ଗେ ସଙ୍ଗେ ଆଶା କର୍ମୀ, ସ୍ବାସ୍ଥ୍ୟ କର୍ମୀ କିମ୍ବା ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ପରାମର୍ଶ କରିବାକୁ ଡ. ମହାନ୍ତି କହିଥିଲେ।
ଏ ଅବସରରେ ଏକ ରାଲି ମୁଖ୍ୟ ଚିକିତ୍ସାଳୟରୁ ବାହାରି ବଜାର ପରିକ୍ରମା କରିଥିଲା।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ. ଅନ୍ତର୍ଯ୍ୟାମୀ ମିଶ୍ର, ଡ. ପୂର୍ଣ୍ଣିମା ଉଦ୍ଗାତା, ଡ. ସୂର୍ଯ୍ୟନାରାୟଣ ଦତ୍ତ (ଡି ଏଲ୍ ସି), ନର୍ସିଂ ଛାତ୍ରୀ, ସ୍ବାସ୍ଥ୍ୟ କର୍ମୀ, ପାରାମେଡିକାଲ ଷ୍ଟାଫ୍ ପ୍ରମୁଖ ଯୋଗ ଦେଇଥିଲେ।