ଭାଷା ଓ ସାହିତ୍ୟ ହିଁ ଜାତୀୟ ଅସ୍ମିତାର ପରିଚୟ: ଅନୁଗୁଳରେ ଜାତୀୟ ଆଲୋଚନା ଚକ୍ରରେ ମତବ୍ୟକ୍ତ

You are currently viewing ଭାଷା ଓ ସାହିତ୍ୟ ହିଁ ଜାତୀୟ ଅସ୍ମିତାର ପରିଚୟ: ଅନୁଗୁଳରେ ଜାତୀୟ ଆଲୋଚନା ଚକ୍ରରେ ମତବ୍ୟକ୍ତ

ଅନୁଗୁଳ : ସ୍ଥାନୀୟ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟଠାରେ “ସମକାଳୀନ ଓଡ଼ିଆ ସାହିତ୍ୟ: ତତ୍ତ୍ଵ ଓ ସମୀକ୍ଷା” ଶୀର୍ଷକ ଏକ ଦିବସୀୟ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଉଦ୍‌ଘାଟନୀ ଅଧିବେଶନରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବସନ୍ତ କୁମାର ସାହୁ ସଭାପତିତ୍ୱ କରି ଜାତୀୟ ଅସ୍ମିତା ନିର୍ମାଣରେ ଭାଷା ଓ ସାହିତ୍ୟର ଅନନ୍ୟ ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତଥା ମହାବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରତାପ ପ୍ରୀତିମୟ ଯୋଗଦେଇ ଏକ ସଭ୍ୟତାର ପରିଚୟ ପ୍ରଦାନରେ ସାହିତ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଆଲୋଚନା ଚକ୍ରର ଆବାହକ ତଥା ଓଡ଼ିଆ ବିଭାଗ ମୁଖ୍ୟ ଡ. ସୁରେଶ ଚନ୍ଦ୍ର ରାଜହଂସ ସମକାଳୀନ ସାହିତ୍ୟର ପରିବର୍ତ୍ତନ ଓ ବିବର୍ତ୍ତନ ସମ୍ପର୍କରେ ସୂଚନା ଦେଇଥିବା ବେଳେ ଅଧ୍ୟାପକ ଆଶିଷ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଅନୁଷ୍ଠିତ ପ୍ରଥମ ବୈଷୟିକ ଅଧିବେଶନରେ ପ୍ରଫେସର କୁଳମଣି ନାୟକ ସଭାପତିତ୍ୱ କରି ସମାଜ ଗଠନରେ ସାହିତ୍ୟର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଗିରୀଶ ଚନ୍ଦ୍ର ମିଶ୍ର ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଗୋପୀନାଥ ବାଗ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଓଡ଼ିଆ ସାହିତ୍ୟରେ ଅସ୍ତିତ୍ୱବାଦ ଓ କବିତାର ପ୍ରୟୋଗ ସମ୍ପର୍କିତ ଗବେଷଣାମୂଳକ ପ୍ରବନ୍ଧ ଉପସ୍ଥାପନ କରିଥିଲେ। ଦ୍ୱିତୀୟ ବୈଷୟିକ ଅଧିବେଶନରେ ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ଡ. ମନୋରଞ୍ଜନ ମିଶ୍ର ସଭାପତିତ୍ୱ କରିଥିବା ବେଳେ ଶାନ୍ତିନିକେତନର ପ୍ରଫେସର ଡ. ଶରତ କୁମାର ଜେନା ଓଡ଼ିଆ ଲୋକ ସାହିତ୍ୟର ତୁଳନାତ୍ମକ ବିଭବ ଉପରେ ଆଲୋଚନା କରିଥିଲେ। ଏହି ପର୍ଯ୍ୟାୟରେ ମନୋଜ କୁମାର ବେହେରା, ସଂଘମିତ୍ରା ପଣ୍ଡା, ଗାୟତ୍ରୀ ପୃଷ୍ଟି ଓ ଅବିନାଶ ଦାସ ପ୍ରମୁଖ ଗବେଷକମାନେ ନିଜ ନିଜର ପ୍ରବନ୍ଧ ପାଠ କରିଥିଲେ।

ଉଦ୍‌ଯାପନୀ ସମାରୋହରେ ଅଧ୍ୟକ୍ଷ ଡ. ବସନ୍ତ କୁମାର ସାହୁ ଆଲୋଚନା ଚକ୍ରର ସଫଳତା ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସାଧୁବାଦ ଜଣାଇଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁ ସଂଖ୍ୟକ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ଓଡ଼ିଆ ବିଭାଗର ଅଧ୍ୟାପକ ଆଶିଷ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply