ଛାତ୍ରୀଙ୍କ ମୃତ୍ୟୁ ପରେ ପ୍ରଶାସନର ନିଦ ଭାଙ୍ଗିଲା: ରାସ୍ତା କାମ ପାଇଁ ୫୫ ନମ୍ବର ଜାତୀୟ ରାଜପଥରେ ଲାଗୁ ହେଲା ନୋ ଏଣ୍ଟ୍ରି

You are currently viewing ଛାତ୍ରୀଙ୍କ ମୃତ୍ୟୁ ପରେ ପ୍ରଶାସନର ନିଦ ଭାଙ୍ଗିଲା: ରାସ୍ତା କାମ ପାଇଁ ୫୫ ନମ୍ବର ଜାତୀୟ ରାଜପଥରେ ଲାଗୁ ହେଲା ନୋ ଏଣ୍ଟ୍ରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ରନ୍ତଲେଇ ଠାରୁ ବଅଁରପାଳ ପର୍ଯ୍ୟନ୍ତ ଜାତୀୟ ରାଜପଥ ୫୫ର ୧୭ କିଲୋମିଟର ରାସ୍ତା ମରାମତି କାମ ଚାଲିଛି। ଏଣୁ ଏହି ମରାମତି କାର୍ଯ୍ୟ ଶେଷ ନ ହେବା ପର୍ଯ୍ୟନ୍ତ ଉକ୍ତ ୧୭ କିଲୋମିଟର ରାସ୍ତାରେ ଭାରିଯାନ ଚଳାଚଳ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି।
ପ୍ରତିଦିନ ପୂର୍ବାହ୍ନ ୯ଟାରୁ ସନ୍ଧ୍ୟା ୬ଟା ଯାଏ ରାଜପଥର ଏହି ଅଞ୍ଚଳରେ ଭାରିଯାନ ଯେପରି ଚଳାଚଳ ନ ହୁଏ ସେଥିପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ମରାମତି କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଉକ୍ତ ନିର୍ଦ୍ଦେଶନାମା ବଳବତ୍ତର ରହିବ ବୋଲି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି।

ସୂଚନା ଅନୁସାରେ , ବଅଁରପାଳସ୍ଥିତ ପାଞ୍ଚଗଡ଼ ବିଜୟ କୁମାର ହାଇସ୍କୁଲର ୬ଷ୍ଠ ଶ୍ରେଣୀର ଛାତ୍ରୀ ପୂଜା ସାହୁଙ୍କ ଗତ ଗୁରୁବାର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହାକୁ ବିରୋଧ କରି ଉକ୍ତ ସ୍କୁଲର ଛାତ୍ରୀଛାତ୍ରମାନେ ଶୁକ୍ରବାର ବିଳମ୍ବିତ ରାତି ଯାଏ ରାଜପଥ ଅବରୋଧ କରିଥିଲେ। ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ତଦନୁଯାୟୀ ଶନିବାରଠାରୁ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ରବିବାର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ଅନୁଗୁଳ ଉପଜିଲ୍ଲାପାଳ ବରଣ୍ୟେନ୍ଦୁ ମହାନ୍ତି, ଅନୁଗୁଳ ଏସ୍‌ଡିପିଓ ରମାକାନ୍ତ ମହାଳିକ, ବଅଁରପାଳ ଅତିରିକ୍ତ ତହସିଲଦାର, ସ୍ଥାନୀୟ ଥାନା ଅଧିକାରୀ, ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କନିଷ୍ଠ ଏମ୍‌ଭିଆଇ, ଏନ୍‌ଏଚ୍‌ଏଆଇ ଢେଙ୍କାନାଳକ ପ୍ରତିନିଧି, ପୂର୍ତ୍ତ ବିଭାଗ ଅଧିକାରୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply