ଭୁବନେଶ୍ୱର: ଏବେ ବିନା ପ୍ରେସକ୍ରିପସନରେ କିଣିପାରିବେ ଔଷଧ। ଏହି ନୂଆ ନିୟମକୁ ଲାଗୁ କରିବା ଉପରେ ବିଚାର କରୁଛନ୍ତି କେନ୍ଦ୍ର ସରକାର।
ଥଣ୍ଡା, କାଶ, ଜ୍ୱର ଆଦି ସାଧାରଣ ରୋଗର ଔଷଧ ବିଷୟରେ ସାଧାରଣ ଲୋକଙ୍କ ଜ୍ଞାନ ଥିବାରୁ ସେଥିପାଇଁ ଆଉ ପ୍ରେସକ୍ରିପସନ ଦରକାର ପଡ଼ିବନି। ଏସବୁ ଔଷଧକୁ ଏଣିକି ବିନା ପ୍ରେସକ୍ରିପସନରେ ଔଷଧ ଦୋକାନରୁ କିଣିପାରିବେ ଗ୍ରାହକ।
ଏପରି ୧୬ଟି ସାଧାରଣ ଔଷଧକୁ ଓଭର-ଦି-କାଉଣ୍ଟର ଶ୍ରେଣୀଭୁକ୍ତ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଅର୍ଥାତ୍ ଏସବୁ ଔଷଧ କିଣିବାକୁ ହେଲେ ଲୋକମାନଙ୍କୁ ଆଉ ଡାକ୍ତରଙ୍କ ପରାମର୍ଶର ଆବଶ୍ୟକତା ପଡ଼ିବ ନାହିଁ। ଏଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଡ୍ରଗ ରୁଲ୍ସ ୧୯୪୫ରେ କେତେକ ସଂଶୋଧନ ଆଣିବାକୁ ପ୍ରସ୍ତାବ ଦିଆଯାଇଛି । ଏହି ସଂଶୋଧନ ଦ୍ବାରା ୧୬ଟି ଔଷଧକୁ ସିଡ୍ୟୁଲ-କେ ଶ୍ରେଣୀଭୁକ୍ତ କରାଯିବ। ଫଳରେ ଲାଇସେନ୍ସ ପ୍ରାପ୍ତ ଔଷଧ ଦୋକାନରୁ ଗ୍ରାହକମାନେ ବିନା ଡାକ୍ତରଙ୍କ ପ୍ରେସକ୍ରିପସନରେ ମେଡିସିନ କିଣିପାରିବେ।
ଏହି ୧୬ଟି ଔଷଧ ମଧ୍ୟରେ ପାରାସିଟାମଲ, ଆଣ୍ଟିସେପ୍ଟିକ କ୍ରିମ ପ୍ରୋଭିଡୋନ ଆୟୋଡିନ, କ୍ଲୋରୋହେକ୍ସିଡାଇନ ମାଉଥଓ୍ବାସ, କ୍ଲୋଟିମାଜୋଲ, ଡାଇକ୍ଲୋଫେନାକ, ବେଞ୍ଜୋଲ ପେରକ୍ସାଇଡ୍ ଆଦି ଔଷଧ ରହିଛି।