ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ ଅନୁଗୁଳ ଜୁହାର ପରିବାର ପକ୍ଷରୁ ନୂଆ ଖାଇ ଭେଟ-ଘାଟ ସମାରୋହ ଆୟୋଜିତ ହୋଇଯାଇଛି।ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ମୁଖ୍ୟ ଅତିଥି ରୂପେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଅନୁଗୁଳରେ ରହୁଥିବା ପଶ୍ଚିମ ଓଡ଼ିଶାର ଭାଇ ଭଉଣୀ ମାନଙ୍କ ଏହି ଭିନ୍ନ ପ୍ରୟାସ ବେଶ ପ୍ରଶଂସନୀୟ ବୋଲି ଶ୍ରୀ ବେହେରା କହିଥିଲେ।
ସମ୍ମାନିତ ଅତିଥି ରୂପେ ଉତ୍ତର କେନ୍ଦ୍ରାଞ୍ଚଳ ଆଇ.ଜି ସତ୍ୟବ୍ରତ ଭୋଇ ଯୋଗ ଦେଇ ଆମେ ମା’ ମାଟି ଓ ଆମ କଳା ସଂସ୍କୃତିକୁ କେବେହେଲେ ଭୁଲିବା ଉଚିତ୍ ନୁହେଁ ବୋଲି କହିଥିଲେ।ସମାରୋହରେ ଅନ୍ୟ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ଗୀତିକାର ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ,ଗାୟକ ବିଭୂତି ଭୂଷଣ ପଟ୍ଟନାୟକ, ସନ୍ତୋଷମିଶ୍ର,ଦୁଃଖିଶ୍ୟାମ ତ୍ରିପାଠୀ,ଗୀତିକାର ପ୍ରଫେସର ମୋହନ ସାହୁ ,ଦ୍ବାରିକାନାଥ ନାୟକ ସମ୍ବଲପୁର ଜୁହାର ପରିବାର ସଭାପତି ପ୍ରଫୁଲ୍ଲ ସାହୁ ଯୋଗ ଦେଇ ନୂଆ ଖାଇ ଭେଟ-ଘାଟ ଭାବର ତିହାର ଓ ଚାଷୀର ତିହାର ବୋଲି ଅଭିହିତ କରିଥିଲେ।
ସମାରୋହରେ ମୁଖ୍ୟ ସଂଯୋଜକ ଡ଼ା ଅକ୍ଷୟ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଦୌପଦୀ ପଟେଲ, ଅନୁଗୁଳ କଲେଜ ଅଧ୍ୟକ୍ଷ ଡ଼ା ନିଳାଞ୍ଚଳ ପଟେଲ ପ୍ରମୁଖ ଯୋଗ ଦେଇଥିଲେ। ସମାରୋହରେ ନାଟ୍ୟକାର ବିଜୟ କୁମାର ଦାସ ଓ ଅଭିନେତା ଅଶୋକ ଦାସଙ୍କୁ ଉତ୍ତରୀୟ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହାପରେ ଯୁବ ଓ କିଶୋର କଳାକାର ମାନେ ଆକର୍ଷଣୀୟ ସମ୍ବଲପୁରୀ,ଡାଲଖାଇ ଓଡ଼ିଶୀ ଏବଂ ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ଲୋକ ନୃତ୍ୟ ପରିବେଷଣ କରିଥିଲେ। ସହରର ଅନେକ ବୁଦ୍ଧିଜୀବି ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।


