ଅନୁଗୁଳ: “ଓଡ଼ିଆ ପକ୍ଷ – ୨୦୨୬” ପାଳନ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ଏକ ଭବ୍ୟ “ଐତିହ୍ୟ ଗଣଦୌଡ଼” କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି। କାର୍ଯ୍ୟକ୍ରମରେ ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡ଼ିଆ ଭାଷା ଓ ସଂସ୍କୃତିର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ଏହି ଆୟୋଜନର ମୂଳ ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ପ୍ରଭାତ ପ୍ରଧାନ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ରହି ଏହି ଗଣଦୌଡ଼ର ଶୁଭାରମ୍ଭ କରିଥିଲେ। ସ୍ଥାନୀୟ ଇନଡୋର ହଲ୍ଠାରୁ ଆରମ୍ଭ ହୋଇଥିବା ଏହି ଦୌଡ଼ ସମ୍ପୂର୍ଣ୍ଣ ସହର ପରିକ୍ରମା କରିବା ପରେ ପୁନର୍ବାର ଇନଡୋର ହଲ୍ ପରିସରରେ ଶେଷ ହୋଇଥିଲା।
ଏହି ସାମୂହିକ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଜାତୀୟ ସମର ବାହିନୀ (NCC) କ୍ୟାଡେଟ୍, ସ୍କାଉଟ୍ସ, ଜିଲ୍ଲା ଆସୋସିଏସନ୍ର କ୍ରୀଡ଼ାବିତ୍, ବରିଷ୍ଠ ନାଗରିକ ଓ ସାମ୍ବାଦିକଙ୍କ ସମେତ ବହୁ ଜନସାଧାରଣ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ କ୍ରୀଡ଼ା କ୍ଷେତ୍ରରେ ଜିଲ୍ଲା ପାଇଁ ଗୌରବ ଆଣିଥିବା ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବା ସହ ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସହ-ପ୍ରଫେସର ତଥା NCC ମୁଖ୍ୟ ଡକ୍ଟର ରାକେଶ ରଞ୍ଜନ ବେହେରାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସେଠ ସୁଚାରୁ ରୂପେ ପରିଚାଳନା କରିଥିବା ବେଳେ ‘ମେରା ଭାରତ’ର ତପନ କୁମାର ସାମଲ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।








