ଅନୁଗୁଳର ବଦଳୁଛି ରୂପରେଖ: କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀଙ୍କ ସଫଳତାର ଏକ ବର୍ଷ

You are currently viewing ଅନୁଗୁଳର ବଦଳୁଛି ରୂପରେଖ: କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀଙ୍କ ସଫଳତାର ଏକ ବର୍ଷ

ଅନୁଗୁଳ: ଅନୁଗୁଳ ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସତ୍ୟପ୍ରକାଶ ତ୍ରିପାଠୀ ଆଜି ଏକ ବର୍ଷ ପୂରଣ କରିଛନ୍ତି। ଚାନ୍ଦବାଲି ଏନଏସିରୁ ବଦଳି ହୋଇ ଆସିବା ପରେ ନିଜର ନିଷ୍ଠା, ଦାୟିତ୍ଵବୋଧ ଏବଂ ସମୟାନୁବର୍ତ୍ତିତା ବଳରେ ସେ ସହରବାସୀଙ୍କ ମନ ଜିତିବା ସହ ପୌରପାଳିକାର ବିକାଶମୂଳକ କାର୍ଯ୍ୟକୁ ଏକ ନୂତନ ଗତି ପ୍ରଦାନ କରିଛନ୍ତି।

ବର୍ଷକର କାର୍ଯ୍ୟକାଳ ମଧ୍ୟରେ ଶ୍ରୀ ତ୍ରିପାଠୀଙ୍କ ନେତୃତ୍ୱରେ ଅନୁଗୁଳ ଅନେକ ମାଇଲଖୁଣ୍ଟ ସ୍ଥାପନ କରିଛି। ସହରର ରାତ୍ରିକାଳୀନ ସଫେଇ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ପ୍ରଦୂଷଣ ହ୍ରାସ ପାଇଁ ପ୍ରମୁଖ ଛକଗୁଡ଼ିକରେ ପାଣି ସିଞ୍ଚନ ବ୍ୟବସ୍ଥା କରାଯାଇଛି। ତାଙ୍କର ସଫଳ ପ୍ରୟାସ ଯୋଗୁଁ ଅନୁଗୁଳ ପୌରପାଳିକା ୨୦୨୫ ଜାତୀୟ ସ୍ଵଚ୍ଛ ସର୍ବେକ୍ଷଣ ପୁରସ୍କାର ଲାଭ କରି ଇତିହାସ ସୃଷ୍ଟି କରିଛି। ଏହା ବ୍ୟତୀତ ସହରର ସୌନ୍ଦର୍ଯ୍ୟକରଣ ଏବଂ ଆଧୁନିକ ବିଦ୍ୟୁତ୍ ଆଲୋକୀକରଣ କାର୍ଯ୍ୟକୁ ସେ ତ୍ୱରାନ୍ୱିତ କରିଛନ୍ତି।

କେବଳ ପ୍ରାଶାସନିକ କାର୍ଯ୍ୟ ନୁହେଁ, ବରଂ ନିଜର ମାନବିକତା ପାଇଁ ସେ ସହରରେ ଚର୍ଚ୍ଚାରେ ରହିଛନ୍ତି। ଦଳିତ ସଫେଇ କର୍ମଚାରୀଙ୍କୁ ହୋଟେଲରେ ଭୋଜନ ଦେଇ ଅବସର ସମ୍ବର୍ଦ୍ଧନା ଜଣାଇବା ହେଉ କିମ୍ବା ସାଇକେଲରେ ସହର ବୁଲି ସଫେଇ କାର୍ଯ୍ୟର ତଦାରଖ କରିବା, ତାଙ୍କର ଏହି କାର୍ଯ୍ୟଶୈଳୀକୁ ସବୁ ମହଲରେ ପ୍ରଶଂସା କରାଯାଇଛି। ପ୍ଲାଷ୍ଟିକ ହଟାଅ ଅଭିଯାନରେ ଖିଲାପ କରିଥିବା ନାମୀଦାମୀ ବ୍ୟବସାୟୀଙ୍କ ବିରୁଦ୍ଧରେ ଜରିମାନା କରି ସେ ନିଜର ଦୃଢ଼ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

ଏଟିଭି (A TV) କୁ ସୂଚନା ଦେଇ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଆଗାମୀ ଦିନରେ ଗୋଶାଳା ପାଇଁ ଜମି ଚିହ୍ନଟ, ବୃହତ୍ ଡ୍ରେନେଜ୍ ବ୍ୟବସ୍ଥା ପାଇଁ ଟେଣ୍ଡର ପ୍ରକ୍ରିୟା ଏବଂ ନୂତନ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ସ୍ଥାପନ କରାଯିବ। କଦମ ପଡ଼ିଆରେ ଫ୍ଲଡ୍ ଲାଇଟ୍ କାର୍ଯ୍ୟକାରୀ କରିବାରେ ମଧ୍ୟ ତାଙ୍କର ପ୍ରମୁଖ ଭୂମିକା ରହିଛି। ଜିଲ୍ଲାପାଳ, ବିଧାୟକ ଏବଂ ନଗରପାଳଙ୍କ ସହଯୋଗ ଯୋଗୁଁ ଏହି ସଫଳତା ସମ୍ଭବ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି।
ଆଜି ଏକ ବର୍ଷ ପୂର୍ତ୍ତି ଅବସରରେ ପୌର କାର୍ଯ୍ୟାଳୟରେ ଅନେକ ବରିଷ୍ଠ ନାଗରିକ ଏବଂ କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଛନ୍ତି।

Share

Leave a Reply