ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନୂତନ ପବିତ୍ର ମୋହନ ମେଡିକାଲ କଲେଜ ଓ ଟ୍ରମା କେୟାର ସେଣ୍ଟରରେ ବୁଧବାର ଠାରୁ ସମସ୍ତ ବର୍ହିବିଭାଗ ଚିକିତ୍ସା ସେବା ଆରମ୍ଭ ହୋଇଛି। ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ସାଙ୍ଗକୁ ଦୁର୍ଘଟଣା ଜନିତ ରୋଗୀଙ୍କ ନିମନ୍ତେ ଟ୍ରମା କେୟାର ସେଣ୍ଟର ରହିଛି। ଯାହା ଆଗାମୀ ଦିନରେ ସେବା ଯୋଗାଇବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାନନ୍ଦ ମହାନ୍ତି ପ୍ରକାଶ କରିଛନ୍ତି। ରୋଗୀ ମାନେ ଅସୁବିଧାର ସମ୍ମୁଖୀନ ନହୋଇ ଆଜି ଠାରୁ ବର୍ହିବଭାଗ ଓ ଆପାତକାଳୀନ ଚିକିତ୍ସା ସୁବିଧାରେ ପାଇ ପାରିବେ। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଟି ଓଡ଼ିଶାର ମଧ୍ୟଭାଗରେ ରହିଥିବା କାରଣରୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଅନୁଗୁଳ ସମେତ ଢେଙ୍କାନାଳ, କେନ୍ଦୁଝର,ବୌଦ୍ଧ,ଦେବଗଡ଼ ଓ ସମ୍ବଲପୁର ଭଳି ୫ ଗୋଟି ଜିଲ୍ଲା ସୀମାନ୍ତ ଅଞ୍ଚଳର ରୋଗୀ ଚିକିତ୍ସା ନିମନ୍ତେ ଆସିଥାନ୍ତି। ବିଗତ ଦିନରେ ଭିତ୍ତିଭୂମିର ଅଭାବ କାରଣରୁ ରୋଗୀ ମାନେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହୋଇଆସୁଥିଲେ । ଯାହା ଏକ ପ୍ରକାର ଦୂର ହେବା ନେଇ ଜନସାଧାରଣ ଆଶାବାଦୀ ଥିବା ଜଣାପଡ଼ିଛି।
ବର୍ହିବିଭାଗ ରୋଗୀ ସାଙ୍ଗକୁ ଟ୍ରମା ଆଘାତ ଏବଂ ଜରୁରୀକାଳୀନ ବିଭାଗରେ ରୋଗୀ ସେବା ଆରମ୍ବ ହେବାକୁ ଯାଉଛି। ପୂର୍ବରୁ ରୋଗୀ ମାନେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡା ହୋଇ ଟିକେଟ କରିବା, ପରେ ପରେ ଧାଡ଼ିରେ ଛିଡା ହୋଇ ଡାକ୍ତରଙ୍କୁ ଦେଖାଇବା ପୁଣି ଧାଡ଼ିରେ ଛିଡା ହୋଇ ଔଷଧ ଆଣିବା ଭଳି ଅନେକ ଯନ୍ତ୍ରଣା ଭୋଗିବାକୁ ପଡୁଥିଲା ଯାହା ଏବେ ଆଉ ହେବ ନାହିଁ ବୋଲି ଆଶା କରାଯାଉଅଛି।