ତାଳଚେର ହିଙ୍ଗୁଳା ଖଣିରେ ଭୟଙ୍କର ଦୁର୍ଘଟଣା: ଡମ୍ପର ଧକ୍କାରେ ଅପରେଟରଙ୍କ ମୃତ୍ୟୁ, ଉତ୍ତେଜନା ଜାରି

You are currently viewing ତାଳଚେର ହିଙ୍ଗୁଳା ଖଣିରେ ଭୟଙ୍କର ଦୁର୍ଘଟଣା: ଡମ୍ପର ଧକ୍କାରେ ଅପରେଟରଙ୍କ ମୃତ୍ୟୁ, ଉତ୍ତେଜନା ଜାରି

ଅନୁଗୁଳ: ତାଳଚେର ଶିଳ୍ପାଞ୍ଚଳରେ ପୁଣି ଏକ ଅଘଟଣ। ଏମସିଏଲ ହିଙ୍ଗୁଳା ଖଣି ପରିସରରେ ଡମ୍ପର ଧକ୍କାରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାକୁ କେନ୍ଦ୍ର କରି ଖଣି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ତାଳଚେର ବ୍ଲକ ଗୋପାଳପ୍ରସାଦ ପଞ୍ଚାୟତ କୁସୁମପାଳ ଗ୍ରାମର ଶ୍ରୀନିବାସ ଦେହୁରୀ ହିଙ୍ଗୁଳା ଖଣିରେ ଡମ୍ପର ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ବିଳମ୍ବିତ ରାତିରେ ସେ ନିଜ ବାଇକ୍ ଯୋଗେ ଖଣି ମଧ୍ୟକୁ ଯାଉଥିବା ସମୟରେ ଟାଇମ୍ ଅଫିସ୍ ନିକଟରେ ଏକ ଦ୍ରୁତଗାମୀ ଡମ୍ପର ତାଙ୍କୁ ସମ୍ମୁଖରୁ ଧକ୍କା ଦେଇଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଶ୍ରୀନିବାସଙ୍କ ପ୍ରାଣବାୟୁ ଉଡିଯାଇଥିଲା।
ଦୁର୍ଘଟଣା ଖବର ପ୍ରସାରିତ ହେବା ପରେ ଖଣିର ଶ୍ରମିକ ଓ ସ୍ଥାନୀୟ କର୍ମଚାରୀମାନେ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଏବଂ ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ଦାବି କରି କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖାଦେଇଥିଲା।

ଖବର ପାଇ ସ୍ଥାନୀୟ ବିଧାୟକ ବ୍ରଜ କିଶୋର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ସରକାରୀ ଓ ନିୟମ ଅନୁଯାୟୀ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ହିଙ୍ଗୁଳା ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଖଣି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share

Leave a Reply