ଅନୁଗୁଳ: ଆସନ୍ତା ୧୧ରେ ଓଡ଼ିଶା ଆସୁଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ତାଙ୍କ ସହ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ ଓ ସଙ୍ଗଠନ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ବି ଆସୁଛନ୍ତି।
ଏ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲା ସଭାପତି ସଭାପତିତ୍ବରେ ଜିଲ୍ଲା କଂଗ୍ରେସ ଭବନଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଅନୁଗୁଳ ନିର୍ବାଚନ ମଣ୍ଡଳୀରୁ ପାଖାପାଖି ୩୦୦୦ରୁ ଊର୍ଦ୍ଧ୍ବ କର୍ମୀ ଯୋଗ ଦେବେ ବୋଲି ନିଷ୍ପତ୍ତି ହୋଇଛି।
ବୈଠକରେ ଜିଲ୍ଲାର ପ୍ରଭାରୀ ପୂର୍ବତନ ବିଧାୟକ ଡକ୍ଟର ଲଲାଟେନ୍ଦୁ ମହାପାତ୍ର ଯୋଗଦେଇ ଏହି ସମାବେଶକୁ ସଫଳ କରିବା ପାଇଁ ସମସ୍ତ କଂଗ୍ରେସ କର୍ମୀ ଉଦ୍ୟମ କରିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। ବୈଠକରେ ପ୍ରଫୁଲ୍ଲ ଦାସ, ଉମେଶ ସାହୁ, ସହଦେବ ବେହେରା, ସୁଶ୍ରୀ ଶାନ୍ତି ବେହେରା, ସୁନୀଲ ପ୍ରଧାନଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।