ଅନୁଗୁଳ : ଅନୁଗୁଳ ଜିଲ୍ଲା ସଡକ ସୁରକ୍ଷାକୁ ନେଇ ସଂସଦୀୟ ନିର୍ବାଚନୀ ମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମ୍ମିଳନୀ କକ୍ଷରେ ଢେକାନାଳ ସାଂସଦ ମହେଶ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ବିଭିନ୍ନ ସଡକ ମରାମତି, ପରିଚାଳନା ଓ ନିର୍ମାଣକୁ ନେଇ ଆଲୋଚନା ହୋଇଥିଲା। ରାସ୍ତାରେ ଦିନକୁ ଦିନ ଘଟୁଥିବା ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ନିମନ୍ତେ ସଡକ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଏନ୍ଫୋର୍ସମେଣ୍ଟ କାର୍ଯ୍ୟକୁ ତ୍ବରାନ୍ବିତ କରିବା ନିମନ୍ତେ ସାଂସଦ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ। ବୈଠକରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ସେମାନଙ୍କ ପ୍ରସ୍ତାବ ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ ସଡକ ସୁରକ୍ଷା ଆଇନକୁ କଡା କଡି କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀ ବିଭାଭଞ୍ଜନ ସାମନ୍ତସିଂହାର ବୈଠକର କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ। ଜିଲ୍ଲାରେ ୬ଟି ବ୍ଲାକ୍ ସ୍ପଷ୍ଟ ଚିହ୍ନଟ ହୋଇଛି। ଏହି ସ୍ଥାନ ଗୁଡିକରେ ଆବଶ୍ୟକ ସାଙ୍କେତିକ ଚିହ୍ନ ଲଗାଇବାକୁ ସାଂସଦ ପରାମର୍ଶ ଦେଇଛନ୍ତି। ମଦ୍ୟପାନ କରି ଗାଡି ଚଳାଉ ଥିବା ଗାଡି ଚାଳକମାନଙ୍କୁ ଧରିବା ପାଇଁ ଏଥର ସ୍ବତନ୍ତ୍ର ସ୍କାର୍ଡ ଗଠନ କରାଯାଇ ଏଥିରେ ପୁଲିସ ଓ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ଏହି ସ୍କାଡ ରାତି ୧୨ ଟାରୁ ରାତି ୨ଟା ପର୍ଯ୍ୟନ୍ତ ପାଟ୍ରୋଲିଂ କରିବେ। ତାଳଚେର ଲିଙ୍ଗରାଜ ଛକଠାରୁ ବହ୍ଲର ଛକ ମଧ୍ୟରେ କୌଣସି ଗାଡି ପାର୍କିଂ କରିପାରିବେ ନାହିଁ। ତାଳଚେରରେ ଏକ ଟ୍ରକ ଟର୍ମିନାଲ କରିବାକୁ ବୈଠକରେ ନିଷ୍ପତ୍ତି ନିଆଗଲା। ରାସ୍ତାରେ ଗାଈ ଗୋରୁ ବାରମ୍ବର ବୁଲା ବୁଲି କରିବା ଦ୍ବାରା ଅନେକ ସମୟରେ ଦୁର୍ଘଟଣା ଘଟୁଛି। ତାଳଚେର ଓ ଅନୁଗୁଳରେ ଗୋଟିଏ ଲେଖାଏଁ ଗାଡି ଗାଇ ଗୋରୁକୁ ଉଠାଇ ଅନ୍ୟତ୍ର ଛାଡିବାକୁ ସ୍ଥିର କରାଗଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥି, ତାଳଚେର ଉପଜିଲ୍ଲାପାଳ ବିଶ୍ବ ରଞ୍ଜନ ରଥ, ଆଠମଲ୍ଲିକ ଉପଜିଲ୍ଲାପାଳ ଲଳିତ ମୋହନ ବେହେରାଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକ ଶେଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲିପ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ସଡକ ସୁରକ୍ଷାକୁ ନେଇ ସଂସଦୀୟ ନିର୍ବାଚନୀ ମଣ୍ଡଳୀ ବୈଠକ
- Post published:November 1, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
