ଅନୁଗୁଳ: ଚିନ୍ତା ବଢ଼ାଇଛି ସରକାରଙ୍କ ନୂଆ କଟକଣା। ଏଣିକି ପ୍ଲାଷ୍ଟିକ ବୋତଲରେ ନେଇ ପାରିବେନି ପେଟ୍ରୋଲ, ସରକାରଙ୍କ ଏହି ଘୋଷଣା ପରେ ସାଧାରଣ ଲୋକଙ୍କ ମୁଣ୍ଡରେ ଚଡକ ପଡ଼ିଛି। ଏବେ ଅଧ ରାସ୍ତାରେ ତେଲ ସରିଲେ ହଟହଟା ହେବେ ଲୋକ।
ସେହିପରି ଗ୍ରାମାଞ୍ଚଳରେ ଯେଉଁଠି ପେଟ୍ରୋଲ ପମ୍ପ ସଂଖ୍ୟା କମ୍, ସେଠାରେ ଖୁଚୁରା ବିକ୍ରେତାଙ୍କ ଉପରେ ନିର୍ଭର କରନ୍ତି ଗାଡ଼ିଚାଳକ। ତେଣୁ ବୋତଲରେ ପେଟ୍ରୋଲ ବିକ୍ରି ନହେଲେ ଆଗକୁ ସମସ୍ୟା ବଢ଼ିବ। ସରକାରୀ କଟକଣା ଫଳରେ ଏବେ ଉଭୟ ଗ୍ରାହକ ଓ ଖୁଚୁରା ବିକ୍ରେତାଙ୍କୁ ସମସ୍ୟା ହେବ ବୋଲି କହିଛନ୍ତି। ସେହିପରି ଗାଡ଼ି ବ୍ୟତୀତ କୃଷି ଉପକରଣ କିମ୍ବା ଜେନେରେଟରରେ ପେଟ୍ରୋଲ ଭର୍ତ୍ତି କରିବାରେ ସମସ୍ୟା ଭୋଗିପାରନ୍ତି ସାଧାରଣ ଲୋକ।
ସୋମବାର ଲୋକସେବା ଭବନରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବିଭିନ୍ନ ପେଟ୍ରୋଲିୟମ୍ ସଂଘର କର୍ମକର୍ତ୍ତା ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଏହି ନିଷ୍ପତ୍ତି କରିଛନ୍ତି। ରାସ୍ତାକଡ଼ ଛୋଟ ଦୋକାନରେ ପେଟ୍ରୋଲ ବିକ୍ରି କରିଥିବା ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଜିଲ୍ଲାପାଳମାନେ ବ୍ୟକ୍ତିଗତ ଭାବେ ଏହାକୁ ତଦାରଖ କରିବେ ବୋଲି ନିର୍ଦ୍ଦେଶ ରହିଛି।