ଅନୁଗୁଳ: ସ୍ଥାନୀୟ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ପଦାର୍ଥ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଶନିବାର ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। “ଦ୍ୱିବିମୀୟ (2D) ପଦାର୍ଥ: ରମଣ ପରୀକ୍ଷଣ ପଦ୍ଧତିର ସାମର୍ଥ୍ୟ ଏବଂ ସମ୍ଭାବନା” ଶୀର୍ଷକ ବିଷୟକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜ୍ଞାନର ଆଧୁନିକ ପ୍ରୟୋଗ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବିଭାଗୀୟ ମୁଖ୍ୟ ପ୍ରଫେସର (ଡକ୍ଟର) ବସନ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ସଭାପତିତ୍ୱ କରିଥିଲେ। ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଥିବା ସୁଦୂର ପ୍ରସାରୀ ସୁଯୋଗ ସମ୍ପର୍କରେ ସେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। କିଟ୍ (KIIT) ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରାଧ୍ୟାପକ ଡକ୍ଟର ଗୋପାଳକୃଷ୍ଣ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଦ୍ୱିବିମୀୟ ପଦାର୍ଥ କ୍ଷେତ୍ରରେ ‘ରମଣ ପରୀକ୍ଷଣ’ର ବୈଜ୍ଞାନିକ ଉପଯୋଗିତା ଓ ଏହାର ଶୈକ୍ଷିକ ଗୁରୁତ୍ୱ ସମ୍ପର୍କରେ ସାରଗର୍ଭକ ତଥ୍ୟ ରଖିଥିଲେ।
ଆଲୋଚନାଚକ୍ରର ଆବାହକ ଡକ୍ଟର ସୁଶାନ୍ତ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡକ୍ଟର ସତ୍ୟ ନାରାୟଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଡକ୍ଟର ଶ୍ରୀଦେବୀ ସ୍ୱାଇଁ, ଡକ୍ଟର ଅନୀଲ କୁମାର ବେହେରା, ଡକ୍ଟର ବିଜୟିନୀ ମହାପାତ୍ର ଓ ଡକ୍ଟର ରଞ୍ଜନ କୁମାର ଭୂୟାଁ ସହଯୋଗ କରିଥିଲେ। ଗବେଷକ ସନ୍ତୋଷ କୁମାର ବାରିକ ବୈଷୟିକ ସଂଯୋଜନା ଦାୟିତ୍ୱ ତୁଲାଇଥିଲେ। ବିଭାଗର ସମସ୍ତ ଅଧ୍ୟାପକ ଓ ଛାତ୍ରଛାତ୍ରୀ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।



