ଅନୁଗୁଳ: ମହିଳାଙ୍କ ପ୍ରତି ସୁରକ୍ଷା ସୁନିଶ୍ଚିତ କରିବା ସହ ଅପରାଧୀଙ୍କୁ ସାବାଡ୍ କରିବାକୁ ଗୁରୁବାର ଅନୁଗୁଳ ସହରରେ ‘ପିଙ୍କ୍ ପାଟ୍ରୋଲିଂ’ ଆରମ୍ଭ ହୋଇଛି । ସହରର ଅସୁରକ୍ଷିତ ସ୍ଥାନ ଚିହ୍ନଟ ସହ ସେହି ଇଲାକା ଉପରେ ତୀକ୍ଷ୍ଣ ନଜର ରଖିବାକୁ ୪ଟି ଟିମ୍ ଗଠନ କରାଯାଇଛି । ପ୍ରତି ଟିକୁ ଗୋଟିଏ ସ୍ପିଡ୍ ବାଇକ୍ ଓ ଏକ ସ୍କୁଟର ଦିଆଯାଇଥିବା ବେଳେ ୨ ଜଣ ପୁରୁଷ ଓ ୨ ଜଣ ମହିଳା ପୁଲିସ୍ କର୍ମଚାରୀ ନିୟୋଜିତ କରାଯାଇଛି ।
ପିଙ୍କ୍ ପାଟ୍ରୋଲିଂ ସକାଳ ୮ଟାରୁ ପୂର୍ବାହ୍ନ ୧୧ଟା ଓ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଅସୁରକ୍ଷିତ ସ୍ଥାନଗୁଡ଼ିକ ଉପରେ ନଜର ରଖିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି । ପିଙ୍କ୍ ପାଟ୍ରୋଲିଂ ସେବାକୁ ଗୁରୁବାର ଓଡ଼ିଶା ପୁଲିସ୍ ପ୍ରତିଷ୍ଠା ଦିବସ ଅବସରରେ ଶୁଭାରମ୍ଭ କରାଯାଇଛି । ଛେଳିଆପଡ଼ା ସ୍ଥିତ ରିଜର୍ଭ କାର୍ଯ୍ୟାଳୟ ପରିସରରେ ଉତ୍ତର କେନ୍ଦ୍ରାଞ୍ଚଳ ପୁଲିସ୍ ଡିଆଇଜି ଡ. ସାର୍ଥକ ଷଡ଼ଙ୍ଗୀ ଓ ଏସପି ଜଗମୋହନ ମୀନା ସବୁଜ ପତାକା ଦେଖାଇ ଏହାର ଉଦ୍ଘାଟନ କରିଥିଲେ ।