ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ବୀଭତ୍ସ ହତ୍ୟା ଘଟଣା: ସତ ବଖାଣିଲା ପିଶାଚ ସ୍ୱାମୀ

You are currently viewing ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ବୀଭତ୍ସ ହତ୍ୟା ଘଟଣା: ସତ ବଖାଣିଲା ପିଶାଚ ସ୍ୱାମୀ

ଅନୁଗୁଳ: ଚରିତ୍ରକୁ ସନ୍ଦେହ କରି ପତ୍ନୀଙ୍କୁ ଅତି ବୀଭତ୍ସ ଭାବେ ହାଣି ହତ୍ୟା କରିଥିବା ପୁରୁଣାକୋଟ୍‌ ଥାନା ଗଞ୍ଜଡ଼ା ଗାଁର ଶ୍ରୀକାନ୍ତ ପଧାନ (୨୫)କୁ ଗିରଫ କରିଛି ପୁଲିସ। ହତ୍ୟାରେ ବ୍ୟବହାର କରାଯାଇଥିବା ଗୋଟିଏ କାଙ୍କ, ଗୋଟିଏ ଧାରୁଆ ଛୁରି ଓ ଗୋଟିଏ ଭଙ୍ଗା ବାଉଁଶ ବେଣ୍ଟକୁ ପୁଲିସ ଜବତ କରିଛି।

ପୁଲିସ ସୂଚନା ଅନୁସାରେ, ଅନୁଗୁଳ ସହର ଶିକ୍ଷକପଡ଼ାରେ ଶ୍ରୀକାନ୍ତ ତାଙ୍କ ପତ୍ନୀ ଜ୍ୟୋତ୍ସ୍ନା ପ୍ରଧାନଙ୍କ ସହ ଭଡ଼ାଘରେ ରହୁଥିଲେ। ଜ୍ୟୋତ୍ସ୍ନାଙ୍କ ଘର ପୁରୁଣାକୋଟ ଥାନା ଅନ୍ତର୍ଗତ ବାଘମୁଣ୍ଡା‌ରେ ହୋଇଥିବା ବେଳେ ୬ ମାସ ତ‌ଳେ ବଇଣ୍ଡା ଶିବ ମନ୍ଦିରରେ ସେ ଗଞ୍ଜଡ଼ାର ଶ୍ରୀକାନ୍ତଙ୍କୁ ବିବାହ କରିଥିଲେ। ସେମାନେ ପ୍ରେମ ବିବାହ କରିଥିଲେ ମଧ୍ୟ ବିବ‌ାହ ପରେ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ଶ୍ରୀକାନ୍ତ ନିୟମିତ ଝଗଡ଼ା କରୁଥିଲେ। ଶନିବାର ରାତି ପ୍ରାୟ ୧୦ଟା ବେଳକୁ ଶ୍ରୀକାନ୍ତ ବାହାରେ କାମ ସାରିକି ଭଡ଼‌ାଘରକୁ ଫେରିଲା ବେଳକୁ ତାଙ୍କ ସ୍ତ୍ରୀ ଛାତ ଉପରେ କାହା ସହ ଫୋନରେ କଥା ହେଉଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଧୀରେ ଧୀରେ ଏହା ଉଗ୍ରରୂପ ଧାରଣ କରିଥିଲା। ପରେ ଛାତ ଉପରେ ପଡ଼ିଥିବା ଏକ ବାଉଁଶ ବେଣ୍ଟ ଥିବା କାଙ୍କରେ ପତ୍ନୀଙ୍କ ମୁଣ୍ଡକୁ ପିଟି ଦେଇଥିଲା ଶ୍ରୀକାନ୍ତ। ଫଳରେ ସେ ତଳେ ପଡ଼ିଯାଇଥିଲେ।

ପରେ ରୋଷେଇ ଘରୁ ଏକ ଛୁରି ଆଣି ପତ୍ନୀଙ୍କ ବେକ କାଟି ଦେଇଦେଲେ। ପ୍ରବଳ ରକ୍ତସ୍ରାବ ଫଳରେ ଘଟଣାସ୍ଥଳରେ ଜ୍ୟୋତ୍ସ୍ନାଙ୍କ ମୃତ୍ୟୁ ହୋଇଥିଲା। ପରେ ଛୁରି ଓ ତା ରକ୍ତଭିଜା ସାର୍ଟକୁ ଲୁଚାଇ ଘରୁ ଚାଲି ଯାଇଥିଲା ଶ୍ରୀକାନ୍ତ। ସେ କାମ କରୁଥିବା ଦୋକାନର ମାଲିଙ୍କୁ ଫୋନ୍‌ କରି ଘଟଣା ସଂପର୍କରେ ଜଣାଇଥିଲେ। ଏନେଇ ମୃତ ମହିଳାଙ୍କ ଭଉଣୀ ଦେବକୀ ପ୍ରଧାନଙ୍କ ଅଭିଯୋଗ ଆଧାରରେ ଅନୁଗୁଳ ଥାନା ପୁଲିସ ଏକ ମାମଲ‌ା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଥାନା ଅଧିକାରୀ ଧୀରେଶ କୁମାର ଦାସଙ୍କ ନେତୃତ୍ବରେ ଏକ ଟିମ୍‌ ଅଭିଯୁକ୍ତକୁ ଗିରଫ କରିବା ସହ ମାରଣାସ୍ତ୍ର ଜବତ କରିଥିଲା।

Share

Leave a Reply