ଅନୁଗୁଳ: ଚିକିତ୍ସାରେ ଅବହେଳା ଏବଂ ତ୍ରୁଟିପୂର୍ଣ୍ଣ ଅପରେସନ କରିବା ଅଭିଯୋଗରେ ଆଜି ଅନୁଗୁଳ ଡାକ୍ତର ପ୍ରଧାନ ଆଇ କେୟାରକୁ ଜିଲ୍ଲା ପ୍ରଶାସନ ସିଲ୍ କରିଛି।
ଅଭିଯୋଗ ମୁତାବକ, ଗତ ଜୁନ ୨୦ ତାରିଖରେ କ୍ଲିନିକ୍ରେ ୧୩ ଜଣ ରୋଗୀ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଇଥିଲେ। ଡାକ୍ତର ବିଶ୍ୱଜିତ୍ ଦେ ଏହି ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ପରେ ବ୍ୟାକ୍ଟରିଆଲ ବା ଫଙ୍ଗଲ୍ ସଂକ୍ରମଣ ଯୋଗୁଁ ରୋଗୀମାନେ ଆଖି ଓ ମୁଣ୍ଡରେ ଭୀଷଣ ଯନ୍ତ୍ରଣା ପାଇଥିଲେ।
ଅନ୍ୟପଟେ ସପ୍ତାହରେ ଦିନଟିଏ ଆସୁଥିବା ଡ଼ା. ଦେଙ୍କର ଆଉ ଦେଖା ମିଳିନଥିଲା। ଏ ନେଇ ରୋଗୀମାନେ କ୍ଲିନିକ୍ ମାଲିକ ଡ଼ା ଚନ୍ଦ୍ରଶେଖର ପ୍ରଧାନଙ୍କୁ ଭେଟି ଥିଲେ। ଡ଼ା.ପ୍ରଧାନ ନିଜେ କିଛି କରି ନପାରି ରୋଗୀମାନଙ୍କୁ ବୁର୍ଲା ପଠାଇ ଦେଇଥିଲେ। ସେଠାରେ ମଧ୍ୟ ରୋଗୀଙ୍କ ସ୍ୱାସ୍ଥ୍ୟରେ ବିଶେଷ ଉନ୍ନତି ଆସି ନଥିଲା। ଶେଷରେ ଡାକ୍ତରମାନେ ୧୩ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ଡିସଚାର୍ଜ କରିଦେଇଥିଲେ।
ଏ ନେଇ ରୋଗୀଙ୍କ ସଂପର୍କୀୟ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ।
ଅଭିଯୋଗ ପରେ ଜିଲ୍ଲା ଏନ୍ପିସିବି ମୁଖ୍ୟ ଡ଼ା ପରମେଶ୍ବର ଜେନା ଏବଂ ଜିଲ୍ଲା ପରିବାର ମଙ୍ଗଳ ଅଧିକାରୀ ଡା.ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ପୂର୍ବାହ୍ନରେ ପ୍ରଧାନ ଆଇ କ୍ଲିନିକକୁ ସିଲ୍ କରିଥିଲା। ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଅବ୍ଦଲ ଏମ ଅଖତାର କହିଛନ୍ତି।
ଅନ୍ୟପଟେ ଉକ୍ତ କ୍ଲିନିକରେ ଲଗାତାର ତ୍ରୁଟି ହେଉଥିବା ନେଇ ଖବର ଆମ ଏଟିଭିର ହସ୍ତଗତ ହେଉଛି। ଆଜି ମିଳିଥିବା ସୂଚନା ମୁତାବକ, ବାଗେଡ଼ିଆ ପ୍ରଧାନ ସାହିର ବୈର୍ଲୋଚନ ପ୍ରଧାନଙ୍କ ପତ୍ନୀ ପ୍ରଣତିଙ୍କ ଗତ ମେ ମାସରେ ଏହି କ୍ଲିନିକ୍ରେ ମୋତିଆବିନ୍ଦୁ ଅପରେସନ ହୋଇଥିଲା। ଅପରେସନ ପରେ ତାଙ୍କ ଆଖିରେ ଯନ୍ତ୍ରଣା ହେଲା।ଡାକ୍ତର ଦେ ସପ୍ତାହରେ ଥରେ ଆସୁଥିବାରୁ ମଧ୍ୟସ୍ଥି ସାଜିଥିବା ଡ଼ା ପ୍ରଧାନ କିଛି ଔଷଧ ଦେଇ ୪୦ ଦିନ ପରେ ଆସିବାକୁ କହିଥିଲେ। କିନ୍ତୁ ଫଳ ଶୂନ।
ଅନ୍ୟ ଉପାୟ ନ ପାଇ ସେ ଗତ ଜୁନ ୨୬ ତାରିଖରେ ଏଲ ଭି ପ୍ରସାଦରେ ଆଉ ଥରେ ଅପରେସନ କରାଇ ଆଜି ଘରକୁ ଫେରିଛନ୍ତି। ତ୍ରୁଟିପୂର୍ଣ୍ଣ ଅପରେସନ ଏବଂ ବିଳମ୍ବ ହେବା ଯୋଗୁଁ ଆଉ ଥରେ ଅପରେସନ କରିବାକୁ ପଡ଼ିଲା ବୋଲି ସେଠାକାର ଡାକ୍ତର କହିଥିଲେ।
ତେବେ ପ୍ରଣତି ୧୩ ହଜାର ଦେଇ ପ୍ରଥମେ ଅପରେସନ କରିଥିଲେ। ଆଉ ଦ୍ଵିତୀୟ ଅପରେସନ ପରେ ଆଜି ସୁଦ୍ଧା ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସେ କହିଛନ୍ତି।