ଅନୁଗୁଳ: ଗତ ୨୦ ଜୁନ ୨୦୨୪ ରେ ଅନୁଗୁଳ ଅମଲାପଡ଼ା ଷଷ୍ଠ ଗଳିରେ ଥିବା ପ୍ରଧାନ ଆଇ କ୍ଲିନିକ୍ ରେ ମୋତିଆ ବିନ୍ଦୁ ଅସ୍ତ୍ରୋପ୍ରଚାର କରାଇଥିବା ୧୩ ଜଣ ରୋଗୀ ଦୃଷ୍ଟିଶକ୍ତି ହରାଇବା ଘଟଣା ସେତେବେଳେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏଥିନେଇ ଗଣ ମାଧ୍ୟମରେ ଚର୍ଚ୍ଚା ହେବା ପରେ ଜିଲ୍ଲାପାଳ ଏହି ଆଖି କ୍ଲିନିକକୁ ସିଲ୍ କରି ଦେଇଥିଲେ। ଇତିମଧ୍ୟରେ ପୀଡ଼ିତ ମାନେ କଟକ ଭୁବନେଶ୍ୱର ଘରୋଇ କ୍ଲିନିକ୍ ରେ ଚିକିତ୍ସିତ ହେବା ସତ୍ତ୍ୱେ ଆଂଶିକ ଦୃଷ୍ଟି ଶକ୍ତି ହରାଇଥିଲେ।ବାଧ୍ୟ ହୋଇ ସେମାନେ ରାଜ୍ୟ ମାନବ ଅଧିକାର କମିଶନ ର ଦ୍ବାରସ୍ଥ ହୋଇଥିବା ବେଳେ ମାମଲା ବିଚାରାଧୀନ ଅଛି।
ଅନ୍ୟପକ୍ଷରେ କ୍ଲିନିକ୍ ପରିଚାଳକ ଚନ୍ଦ୍ର ଶେଖର ପ୍ରଧାନ ନିଜ କ୍ଲିନିକ୍ ସିଲ୍ ହେବା ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟ ର ଦ୍ବାରସ୍ଥ ହୋଇଥିଲେ।ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ଶିବାନନ୍ଦ ମହାନ୍ତି ପ୍ରଧାନ ଆଇ କ୍ଲିନିକକୁ ସର୍ତମୂଳକ ଭାବେ ଖୋଲିବାର ନିର୍ଦ୍ଦେଶନାମା ଜାରି କରିଥିଲେ। ଏହି ନିର୍ଦ୍ଦେଶନାମା ଅନୁସାରେ ଗତ ୨୮ ତାରିଖରେ କ୍ଲିନିକର ସିଲ୍ ଖୋଲି ଥିଲେ।ଉକ୍ତ ମାମଲାରେ କ୍ଲିନିକର ପରିଚାଳକଙ୍କୁ କୌଣସି ଓପିଡି, ଆଇପିଡି ଚିକିତ୍ସା କରିବାକୁ ବାରଣ କରାଯାଇଛି।ପିଡୀତ ରୋଗୀ ପିଛା ଦଶ ହଜାର ଟଙ୍କା ଫାଇନ ଆକାରରେ ଜିଲ୍ଲା ରେଡ କ୍ରସ ସୋସାଇଟିକୁ ଦେବାର ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ତେବେ ଏହି ନିର୍ଦ୍ଦେଶନାମା ଉପରେ ପିଡୀତ ଙ୍କ ପରିବାର ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୀଡ଼ିତା ମେଘମାଳା ପ୍ରଧାନଙ୍କ ସମ୍ପର୍କୀୟ ସୁଶୀଲ ପ୍ରଧାନ ଏବଂ ସରସ୍ୱତୀ ପାଣିଙ୍କ ପୁଅ ଶ୍ରୀଧର ପାଣି ନିଜ ପ୍ରତିକ୍ରିୟାରେ କହିଛନ୍ତି କି ଉକ୍ତ ଅସ୍ତ୍ରୋପଚାର ମାମଲାରେ ପ୍ରଧାନ ଆଇ କେୟାର ମାଲିକ ଯେତିକି ଦାୟୀ ଅସ୍ତ୍ରୋପଚାର କରିଥିବା ଡ଼ାକ୍ତର ବିଶ୍ୱଜିତ୍ ଦେ ସେତିକି ଦାୟୀ।ଉଭୟଙ୍କ ରେଜିଷ୍ଟ୍ରେସନ୍ ସ୍ଥାୟୀ ଭାବରେ ବାତିଲ କରାଯିବା ଉଚିତ୍। ଡ଼ା ଦେ ଏବେ ମଧ୍ୟ ଅନୁଗୁଳ ସରକାରୀ ମେଡିକାଲରେ ଡିଏମଏଫ ସ୍କିମ୍ରେ ଚିକିତ୍ସା କରିବା ସହ ପୁଣି ଅନୁଗୁଳ ରେ ତାଙ୍କର ଘରୋଇ ବେପାର କରିବାକୁ ଯୋଜନା ଚଳାଇଛନ୍ତି। ଅନୁଗୁଳକୁ ମେଡିକାଲ କଲେଜର ବହୁ ଆଖି ଡାକ୍ତର ଆସିଥିବା ବେଳେ ଡିଏମ୍ଏଫ ଫଣ୍ଡରେ ଜଣଙ୍କୁ ରଖିବା କେବଳ ଅର୍ଥ ଅପଚୟ ବୋଲି ସେମାନେ ଅଭିଯୋଗ କରିଛନ୍ତି। ରାଜ୍ୟ ମାନବ ଅଧିକାର କମିଶନ ପକ୍ଷରୁ ସେମାନଙ୍କୁ ନ୍ୟାୟ ମିଳିବ ବୋଲି ସେମାନେ ଆଶା ରଖିଛନ୍ତି।
ଦଶ ମାସ ପରେ ପ୍ରଧାନ ଆଖି କ୍ଲିନିକ୍ ସିଲ୍ ଫିଟିଲା: କ୍ଲିନିକ୍ ପରିଚାଳକଙ୍କୁ ରୋଗୀ ପିଛା ୧୦ ହଜାର ଫାଇନ୍
